ଲଣ୍ଡନ,୯।୮: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଡ୍ର’ରେ ଶେଷ ହେବା ପରେ ଭାରତୀୟ ଦଳକୁ ନିରାଶ ହେବାକୁ ପଡିଛି। ଭାରତୀୟ ଦଳ ବିଜୟର ଅତି ନିକଟତର ଥିଲା। ପଞ୍ଚମ ଦିନରେ ଭାରତକୁ ମାତ୍ର ୧୫୭ ରନ ଆବଶ୍ୟକ ଏବଂ ତାଙ୍କ ହାତରେ ୯ ଉଇକେଟ ଥିଲା, କିନ୍ତୁ ନଟିଂହାମରେ ବର୍ଷା ହେତୁ ମ୍ୟାଚ ଡ୍ର ହୋଇଥିଲା। ପଞ୍ଚମ ଦିନରେ ଦିନସାରା ବର୍ଷା ହୋଇଥିଲା। ଫଳରେ ଗୋଟିଏ ବି ବଲ ବୋଲିଂ ହୋଇପାରିଲା ନାହିଁ । ଯଦି ଟିମ ଇଣ୍ଡିଆ ଏହି ମ୍ୟାଚ ଜିତିଥାନ୍ତା ତେବେ ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଥାନ୍ତା। କିନ୍ତୁ ଏହା ହୋଇ ନଥିଲା ଏବଂ ମ୍ୟାଚ ଡ୍ର ହେବା ପରେ ଅଧିନାୟକ ବିରାଟ କୋହଲି ମଧ୍ୟ ନିରାଶ ହୋଇଥିଲେ।
ବିରାଟ କୋହଲି କହିଛନ୍ତି, ଆମେ ଭାବୁଥିଲୁ ତୃତୀୟ ଏବଂ ଚତୁର୍ଥ ଦିନରେ ବର୍ଷା ହେବ କିନ୍ତୁ ଏହା ପଞ୍ଚମ ଦିନରେ ହୋଇଥିଲା। ଏହି ମ୍ୟାଚରେ ଆମେ ଭଲ ସ୍ଥିତିରେ ଥିଲୁ କିନ୍ତୁ ଲଜ୍ଜାଜନକ ବିଷୟ ଯେ ପଞ୍ଚମ ଦିନରେ ଗୋଟିଏ ବି ବଲ ବୋଲିଂ ହୋଇପାରିଲା ନାହିଁ। ଚତୁର୍ଥ ଦିନରେ ଖେଳ ଶେଷ ହେବା ପର୍ଯ୍ୟନ୍ତ ଆମେ ୫୦ ରନ ସ୍କୋର କରିଥିଲୁ ଯାହା ଆମ ପାଇଁ ଏକ ସକାରାତ୍ମକ ବିଷୟ ଥିଲା। କିନ୍ତୁ ବର୍ଷା ବିଜୟ ଛଡାଇନେଲା ବୋଲି ସେ କହିଛନ୍ତି।