ଲଣ୍ଡନ,୬।୭ : ଇଂଲଣ୍ଡ ବିପକ୍ଷରେ ଖରାପ ପ୍ରଦର୍ଶନ ପରେ ବ୍ୟାଟିଂ ର଼୍ୟାଙ୍କିଙ୍ଗରେ ଭାରତର ଷ୍ଟାର କ୍ରିକେଟର୍ ବିରାଟ କୋହଲିଙ୍କୁ ବଡ଼ ଝଟ୍କା ଲାଗିଛି। ବୁଧବାର ଘୋଷିତ ସର୍ବଶେଷ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗରେ ତିନି ସ୍ଥାନ ତଳକୁ ଖସି ସେ ୧୩ତମ ସ୍ଥାନରେ ପହଞ୍ଚିଛନ୍ତି। ପାଖାପାଖି ୬ ବର୍ଷ ଅର୍ଥାତ୍ ୨୦୫୩ ଦିନ ପରେ କୋହଲି ଟପ୍-୧୦ରୁ ବାଦ୍ ପଡିଛନ୍ତି। ଏଜବାଷ୍ଟନ ଟେଷ୍ଟରେ ଚମତ୍କାର ବ୍ୟାଟିଂ କରିବା ପରେ ଭାରତୀୟ ଉଇକେଟ କିପର ରିଷଭ ପନ୍ତ ନମ୍ବର-୫ରେ ପ୍ରବେଶ କରିଛନ୍ତି।
ଇଂଲଣ୍ଡ ବିପକ୍ଷରେ କୋହଲି କେବଳ ୧୧ ଏବଂ ୨୦ ରନ୍ ସ୍କୋର କରିଥିଲେ, କିନ୍ତୁ ପନ୍ତ ପ୍ରଥମ ଇନିଂସରେ ମାତ୍ର ୧୧୧ ବଲରୁ ୧୪୬ ରନ ସହ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଭାରତକୁ ଶୀର୍ଷରେ ରଖିବାରେ ସାହାଯ୍ୟ କରିଥିଲେ ଏବଂ ଦ୍ୱିତୀୟ ଇନିଂସରେ ୫୭ ରନ କରିଥିଲେ। ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ଜୋର ରୁଟ୍ ଟେଷ୍ଟ ବ୍ୟାଟିଂ ର଼୍ୟାଙ୍କିଙ୍ଗର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ବିରାଟ କୋହଲି ୨୦୧୮ରେ ନମ୍ବର-୧ରେ ପହଞ୍ଚିଥିଲେ। ତାଙ୍କର ବ୍ୟାଟିଂ ରେଟିଂ ୯୩୭ ଥିଲା। ବର୍ତ୍ତମାନ ବିରାଟ କୋହଲି ନମ୍ବର -୧୩ରେ ପହଞ୍ଚିଛନ୍ତି ଏବଂ ତାଙ୍କ ବ୍ୟାଟିଂ ରେଟିଂ ୭୧୪ ରହିଛି।
ବିରାଟ କୋହଲି ଦୀର୍ଘ ଦିନ ହେବ ଖରାପ ଫର୍ମରେ ଅଛନ୍ତି। ୨୦୧୯ରେ ସେ ଶେଷ ଶତକ ଅର୍ଜନ କରିଥିଲେ। ତସେବେଠାରୁ ସେ ଅନ୍ତର୍ଜାତୀୟ କ୍ରିକେରେ ଆଦୌ ଶତକ ମାରିନାହାନ୍ତି। ଇତିମଧ୍ୟରେ ସେ ୭୫ଟି ପାଳି ଖେଳି ସାରିଛନ୍ତି। ତାଙ୍କ ବ୍ୟାଟିଂ ଆଭ୍ରେଜ୍ ପାଖାପାଖି ୩୬ ରହିଛି।