ଲଣ୍ଡନ,୨୫।୭: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଆଉ ଏକ ଝଟ୍କା ଲାଗିଛି। ଅଫ୍ ସ୍ପିନର୍ ତଥା ଅଲରାଉଣ୍ଡର ଓ୍ବାଶିଂଟନ ସୁନ୍ଦର କେବଳ ଇଂଲଣ୍ଡ ଗସ୍ତରୁ ନୁହେଁ, ସେ ଆଇପିଏଲ୍ ୨୦୨୧ରୁ ମଧ୍ୟ ବାଦ୍ ପଡିବାର ସମ୍ଭାବନା ରହିଛି। ସୁନ୍ଦର ଆଇପିଏଲ୍ରେ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ଖେଳନ୍ତି। ଇଂଲଣ୍ଡ ବିପକ୍ଷ ୫ ଟେଷ୍ଟ ପରେ ଆସନ୍ତା ସେପ୍ଟେମ୍ବର-ଅକ୍ଟୋବରରେ ଆଇପିଏଲ୍ ଖେଳାଯିବ। ଏହାପରେ ଟି-୨୦ ବିଶ୍ୱକପ୍ ଖେଳାଯିବାର ସମ୍ଭାବନା ରହିଛି। ସୁନ୍ଦରଙ୍କୁ ବିସିସିଆଇ ଫିଟ୍ ରଖିବାକୁ ଚାହୁଁଛି। ସେଥିପାଇଁ ସେ ଆଇପିଏଲ୍ ନ ଖେଳି ନିଜ ଫିଟ୍ନେସ୍ ଉପରେ ଧ୍ୟାନ ଦେବେ। ସୂଚନାଯୋଗ୍ୟ, ଇଂଲଣ୍ଡରେ ଅଭ୍ୟାସ ମ୍ୟାଚ୍ ଖେଳୁଥିବାବେଳେ ସୁନ୍ଦରଙ୍କୁ ଆଘାତ ଲାଗିଥିଲା। ଏହା ସତ୍ତ୍ୱେ ସେ ଫିଲ୍ଡିଂ କରୁଥିଲେ। ଆହତ ସମସ୍ୟା ଅଧିକ ହେବାରୁ ତାଙ୍କୁ ଇଂଲଣ୍ଡ ଗସ୍ତରୁ ବାଦ୍ ଦିଆଯାଇଛି।