Categories: ଖେଳ

୯୯% ଥର ଏମିତି ହୁଏ, ଯେତେବେଳେ ଧୋନୀ ଭାଇ ମୋ’ ଫୋନ୍‌ ଉଠାନ୍ତି ନାହିଁ: କୋହଲି

ନୂଆଦିଲ୍ଲୀ,୨୫।୨: ଭାରତୀୟ ଦଳର ତାରକା ଖେଳାଳି ବିରାଟ କୋହଲି ଗତ ବର୍ଷ ଏସିଆ କପ ୨୦୨୨ ପୂର୍ବରୁ ଖରାପ ଫର୍ମରେ ଥିଲେ। ସେତେବେଳେ ତାଙ୍କ ବ୍ୟାଟ୍‌ରୁ ରନ ସ୍କୋର ହେବା କଷ୍ଟକର ମନେ ହେଉଥିଲା। ଏହାକୁ ନେଇ ସୋସିଆଲ ମିଡିଆରେ ତାଙ୍କୁ ସମାଲୋଚନା କରାଯାଉଥିଲା। କିନ୍ତୁ କୋହଲି ଭାଙ୍ଗି ନ ପଡ଼ି ମନୋବଳ ଦୃଢ଼ କରି ଚ୍ୟାଲେଞ୍ଜକୁ ସାମ୍ନା କରିଥିଲେ। ସେହି ସମୟରେ ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ ତାଙ୍କୁ ପ୍ରତି ମୂହୁର୍ତ୍ତରେ ସମର୍ଥନ କରିଥିଲେ। ଏହା ବ୍ୟତୀତ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ମଧ୍ୟ କୋହଲିଙ୍କୁ ଉତ୍ସାହିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ନିକଟରେ ବିରାଟଙ୍କ ଏକ ଭିଡିଓ ଆରସିବି ପକ୍ଷରୁ ଏହାର ୟୁଟ୍ୟୁବ ଆକାଉଣ୍ଟରେ ଶେୟାର କରାଯାଇଛି, ଯେଉଁଥିରେ ସେ ଧୋନିଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ କଥା ହେଉଥିବା ଦେଖିବାକୁ ମିଳିଛି।

କୋହଲି ଏହି ପୋଡକାଷ୍ଟ ସମୟରେ କହଛନ୍ତି, ୨୦୨୨ ମସିହାରେ ମୋର ସଂଘର୍ଷ ସମୟରେ ଅନୁଷ୍କାଙ୍କ ବ୍ୟତୀତ ଧୋନୀ ମୋ’ ସହ କଥା ହୋଇଥିଲେ। ଧୋନିଙ୍କ ସହ ସ୍ବତନ୍ତ୍ର ବନ୍ଧନ ରହିବା କୌଣସି ଆଶୀର୍ବାଦଠାରୁ କମ ନୁହେଁ। ସେ ମୋର କଷ୍ଟ ସମୟରେ ମୋତେ ସମର୍ଥନ କରିଥିଲେ। ମୋ ପାଖକୁ ଆସି ମୋ ସହ ଏକ ବିଶେଷ ବାର୍ତ୍ତାଳାପ କରିଥିଲେ। ମୋତେ ଉତ୍ସାହିତ କରିଥିଲେ। ତାଙ୍କ ପ୍ରତି ମୋର ବହୁତ ସମ୍ମାନ ଅଛି। ଯେତେବେଳେ ବି ମୁଁ ଧୋନିଙ୍କୁ ଫୋନ୍‌ କରେ, ୯୯% ସେ କଲ୍‌ ଉଠାନ୍ତି ନାହିଁ। କାରଣ ସେ ଫୋନ୍‌କୁ ଦେଖନ୍ତି ନାହିଁ। ତଥାପି, ସେ ମୋତେ ୨ ଥର ମେସେଜ କରି ତୁମେ କିପରି ଅଛ ପଚାରିନାହାନ୍ତି, ବରଂ କହିଛନ୍ତି ତୁମେ କେବେ ଦୃଢ଼ ପ୍ରତ୍ୟାବର୍ତ୍ତନ କରୁଛ? ଏହା ହିଁ ପ୍ରେରଣା ପାଲଟିଲା ଏବଂ ମୋର ପୁରୁଣା ଫର୍ମ ଫେରି ଆସିଲା ବୋଲି କୋହଲି କହିଛନ୍ତି।

କୋହଲିଙ୍କ କ୍ୟାରିୟର ବିଷୟରେ କହିଲେ, ୨୦୨୨ ଏସିଆ କପରେ ଆଫଗାନିସ୍ତାନ ବିପକ୍ଷରେ ଶତକ ହାସଲ କରିବା ପରେ ବିରାଟ କୋହଲି ଲୟକୁ ଫେରିଥିଲେ। ଟି -୨୦ ପରେ କୋହଲି ଦିନିକିଆ କ୍ରିକେଟରେ ମଧ୍ୟ କ୍ରମାଗତ ଶତକ ହାସଲ କରିଛନ୍ତି। ସେ ୧୧୫ ଟି-୨୦ ମ୍ୟାଚ ଖେଳି ୪,୦୦୮ ରନ କରିଛନ୍ତି। ଏଥିରେ ୧ ଶତକ ଏବଂ ୩୭ ଅର୍ଦ୍ଧଶତକ ରହିଛି। କୋହଲି ୨୭୧ ଦିନିକିଆ ଖେଳ ୧୨,୮୦୯ ରନ ସ୍କୋର କରିଛନ୍ତି। ସେହିଭଳି ମୋଟ ୧୦୬ ଟେଷ୍ଟ ମ୍ୟାଚ୍‌ ଖେଳି ସେ ୮,୧୯୫ ରନ ସ୍କୋର କରିଛନ୍ତି। ଏଥିରେ ୨୭ ଶତକ ରହିଛି।

Share