ପୁଣିଥରେ କଳାକାରଙ୍କୁ ପଛରେ ପକାଇଲେ ବିରାଟ

ନୂଆଦିଲ୍ଲୀ,୪ ।୧: ଭ୍ରାରତୀୟ କ୍ରିକେଟ ଦଳର କ୍ୟାପଟେନ ବିରାଟ କୋହଲି ୨୩.୭୭କୋଟି ଆମେରିକୀୟ ଡଲାର ବ୍ରାଣ୍ଡ ମୂଲ୍ୟ ସହ ଲଗାତାର ୪ର୍ଥ ଥର ଲାଗି ୨୦୨୦ରେ ସବୁଠାରୁ ମୂଲ୍ୟବାନ ଭାରତୀୟ ସେଲିବ୍ରଟି ପାଲଟି ଯାଇଛନ୍ତି । ଏହି ସୂଚୀରେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଓ ରଣବୀର ସିଂ । ବ୍ରାଣ୍ଡ ମୂଲାଙ୍କନରେ ନିଜର ନାଁ ରଖିଥିବା ହଫ୍ ଆଣ୍ଡ ଫ୍ଲେପ୍ସ ଗୁୁରୁବାର କହିଛି ୨୦୨୦ ପାଇଁ ଶୀର୍ଷରେ ଥିବ ୧୦ ସର୍ବାଧିକ ମୂଲ୍ୟବାନ ସେଲିବ୍ରିଟିଙ୍କ ସୂଚୀରେ କେବଳ କୋହଲି ହେଉଛନ୍ତି ଫିଲ୍ମ ଉଦ୍ଦ୍ୟୋଗ ବାହାରର ବ୍ୟକ୍ତି । ଆଉ ଏଥିରେ ମାତ୍ର ୨ ଜଣ ମହିଳା ରହିଛନ୍ତି । କରୋନା ମହାମାରୀ ପରେ ବି କୋହଲିଙ୍କ ମୂଲ୍ୟ ୨୩,୭୭କୋଟି ଆମେରିକୀୟ ଡଲାର ରହିଛି । ସେହିପରି ଅକ୍ଷୟ କୁମାରଙ୍କ ବ୍ରାଣ୍ଡ ମୂଲ୍ୟ ୧୩.୮ବୃଦ୍ଧି ସହ ୧୧.୮୯ କୋଟି ଆମେରିକୀୟ ଡଲାର ରହିଛି ଓ ସେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ରଣବୀର ସିଂ ୧୦.୨୯ କୋଟି ଡଲାର ସହ ତୃତୀୟ ସ୍ଥାନରେ ରହିଛନ୍ତି । ହଫ୍ ଆଣ୍ଡ ଫ୍ଲେପ୍ସର ସେଲିବ୍ରିଟି ମୂଲ୍ୟାଙ୍କନ ଅଧ୍ୟୟନର ଷଷ୍ଠ ସଂସ୍କରଣ ଅନୁଯାୟୀ, ୨୦୨୦ରେ ଶୀର୍ଷ ୨୦ଜଣଙ୍କ ମୋଟ ବ୍ରାଣ୍ଡ ମୂଲ୍ୟ ୧ ଅରବ ଆମେରିକୀୟ ଡଲାର ଥିଲା ଯାହା ୨୦୧୯ ତୁଳନାରେ ୫ ପ୍ରତିଶତ କମ୍ । ଏହି ସୂଚୀରେ କରୋଡ ଡଲାରର ମୂଲ୍ୟାଙ୍କନ ସହ ଶାହାରୁଖ ଖାଁ ଚତୁର୍ଥ ସ୍ଥାନରେ ଅଛନ୍ତି । ସେମିତି ଦୀପିକା ପାଦୁକୋନ ୫.୦୪ କୋଟି ଡଲାର ସହ ପଞ୍ଚମରେ ଓ ଆଲିଆ ଭଟ୍ଟ ଷଷ୍ଠ ସ୍ଥାନରେ ରହିଛନ୍ତି ।