ଦୁବାଇ,୨୪।୩: ଟି୨୦ ବ୍ୟାଟ୍ସମ୍ୟାନଙ୍କ ର଼୍ୟାଙ୍କିଙ୍ଗ୍ରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ଭାରତୀୟ ଅଧିନାୟକ ବିରାଟ କୋହଲି ଓ ଉପ ଅଧିନାୟକ ରୋହିତ ଶର୍ମାଙ୍କ ମାନ୍ୟତାରେ ଆସିଛି ଉନ୍ନତି। ଇଂଲଣ୍ଡ ବିପକ୍ଷ ଅନ୍ତିମ ଟି୨୦ ମ୍ୟାଚ୍ରେ କୋହଲି ୫୨ ବଲରେ ଖେଳିଥିଲେ ୮୦ ରନ୍ର ଇନିଂସ। ଏଥି ଯୋଗୁ ପୂର୍ବ ଅପେକ୍ଷା ସେ ଗୋଟିଏ ସ୍ଥାନ ଉପରକୁ ଉଠି ହାତେଇଛନ୍ତି ଚତୁର୍ଥ ସ୍ଥାନ। ବର୍ତ୍ତମାନ ତାଙ୍କ ପଛକୁ ଖସି ଯାଇଛନ୍ତି ଲୋକେଶ ରାହୁଲ। ସେ ଏବେ ୫ମ ସ୍ଥାନରେ ଅଛନ୍ତି। ଅନ୍ୟପକ୍ଷରେ ପୂର୍ବପେକ୍ଷା ୩ଟି ସ୍ଥାନ ଉପରକୁ ଉଠି ୧୪ତମ ସ୍ଥାନ ଅଧିକାର କରିଛନ୍ତି ଟିମ୍ ଇଣ୍ଡିଆର ଓପନର ତଥା ଉପ ଅଧିନାୟକ ରୋହିତ ଶର୍ମା।
ଚଳିତ ସପ୍ତାହରେ ଶେଷ ହୋଇଥିବା ଆଫଗାନିସ୍ତାନ-ଜିମ୍ବାଓ୍ବେ ଟି୨୦ ସିରିଜ୍ ଓ ଭାରତ-ଇଂଲଣ୍ଡ ସିରିଜ୍ର ଅନ୍ତିମ ଦୁଇ ମ୍ୟାଚ୍ର ଫଳାଫଳକୁ ନେଇ ଆଇସିସି ଟି୨୦ ମାନ୍ୟତାରେ ଅପଡେଟ୍ କରାଯାଇଥିବା ଆଇସିସି ପକ୍ଷରୁ କୁହାଯାଇଛି।