Categories: ଖେଳ

ଟେଷ୍ଟ ଅଧିନାୟିକତ୍ୱ ଛାଡିବା ପରେ କେବଳ ଜଣେ ବ୍ୟକ୍ତି ହିଁ ମୋତେ ମେସେଜ୍‌ କରିଥିଲେ: କୋହଲି

ଦୁବାଇ,୪।୯: ଏସିଆ କପ୍‌ ୨୦୨୨ରେ ସୁପର-୪ ରାଉଣ୍ଡର ପ୍ରଥମ ମ୍ୟାଚରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡିଛି। ପାକିସ୍ତାନ ଦଳ ପୂର୍ବ ପରାଜୟର ପ୍ରତିଶୋଧ ନେଇ ଭାରତକୁ ପାଞ୍ଚ ଉଇକେଟରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଭାରତର ଅଧିକାଂଶ ବ୍ୟାଟ୍ସମ୍ୟାନ ଭଲ ଆରମ୍ଭ ପରେ ଖରାପ ସଟ ଖେଳି ଆଉଟ୍‌ ହୋଇଥିଲେ ମଧ୍ୟ ବିରାଟ କୋହଲି ଗୋଟିଏ ପଟେ ଠିଆ ହୋଇଥିଲେ। ସେ ୬୦ ରନ୍‌ର ଏକ ଭଲ ଇନିଂସ ଫର୍ମକୁ ଫେରିବାର ସୂଚନା ଦେଇଥିଲେ।
ମ୍ୟାଚ ପରେ କୋହଲି ଖବରଦାତା ସମ୍ମିଳନୀରେ ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି। ସେ କହିଛନ୍ତି, ଟେଷ୍ଟ ଦଳର ଅଧିନାୟକତ୍ୱ ଛାଡିବା ପରେ କେବଳ ମହେନ୍ଦ୍ର ସିଂ ଧୋନୀ ହିଁ ମୋତେ ମେସେଜ କରିଥିଲେ। ମୁଁ ତାଙ୍କଠାରୁ କିଛି ଚାହେଁ ନାହିଁ ଏବଂ ସେ ମୋ ଠାରୁ କିଛି ଚାହାଁନ୍ତି ନାହିଁ। ମୁଁ ତାଙ୍କ ସହ କଦାପି ଅସୁରକ୍ଷିତ ନ ଥିଲି ଏବଂ ସେ ମଧ୍ୟ ମୋ ସହ ନ ଥିଲେ। ବହୁତ ଲୋକ ଅଛନ୍ତି ଯେଉଁମାନେ ମୋତେ କେବଳ ଟିଭିରେ ପରାମର୍ଶ ଦିଅନ୍ତି। ଯଦି ମୋର କାହାକୁ କିଛି କହିବାକୁ ଅଛି, ମୁଁ ବ୍ୟକ୍ତିଗତ ଭାବେ ଭେଟି କହିପାରିବି। ଯାହାକୁ ପରାମର୍ଶ ଦେବାର ଅଛି ତ ମୋତେ ଭେଟିକି ଦେବା ଭଲ। ଟିଭିରେ ବସି କହିଲେ କୌଣସି ସୁଫଳ ମିଳେ ନାହିଁ। ମୁଁ ସମସ୍ତଙ୍କ ସମ୍ମାନ କରେ। ଇଶ୍ବର ତୁମକୁ ସବୁକିଛି ଦିଅନ୍ତି, କେବଳ ସଫଳତା ପାଇବା ପାଇଁ ଭଗବାନ ତୁମକୁ ସାହାଯ୍ୟ କରନ୍ତି ଏବଂ ଏସବୁ ତାଙ୍କ ହାତରେ ରହିଛି।
ସୂଚନାଯୋଗ୍ୟ, କୋହଲି ଚଳିତ ବର୍ଷ ଜାନୁଆରୀ ମାସରେ ଟେଷ୍ଟ ଦଳର ଅଧିନାୟକତ୍ୱ ଛାଡିଥିଲେ। ଏହାକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା।

Share