ନୂଆଦିଲ୍ଲୀ,୧୧।୧: ପୁଣି ଗର୍ଜିଲା ଭାରତୀୟ ଟେଷ୍ଟ ଦଳର ଅଧିନାୟକ ତଥା ବିଶ୍ୱର ଅଭିଜ୍ଞ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ବ୍ୟାଟ୍। କେପ୍ଟାଉନ୍ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍ର ପ୍ରଥମ ଦିନରେ ଭାରତୀୟ ଦଳ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳର ବାକି ବ୍ୟାଟ୍ସମ୍ୟାନ୍ଙ୍କ ଉଇକେଟ ଗୋଟିଏ ପରେ ଗୋଟିଏ ଖସୁଥିବା ବେଳେ କୋହଲି ପ୍ରଶଂସନୀୟ ବ୍ୟାଟିଂ କରି ପଡ଼ିଆରେ ସଂଘର୍ଷ ଜାରି ରଖିଥିଲେ। ସେ ଅର୍ଦ୍ଧଶତକୀୟ ପାଳି ଖେଳିବାରେ ସଫଳ ହୋଇଥିବା ବେଳେ ଶତକ ମାରିବାରେ ବିଫଳ ହୋଇଥିଲେ।
କୋହଲି ୨୦୨୧ ସେପ୍ଟେମ୍ବରରେ ଶେଷ ଥର ପାଇଁ ଇଂଲଣ୍ଡ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ସେହି ଇନିଂସରେ ୫୦ ରନ୍ ସ୍କୋର କରିଥିଲେ। ଏହାପରଠାରୁ ସେ ମଇଦାନରେ ସଂଘର୍ଷ କରୁଥିଲେ। କାରଣ ତାଙ୍କ ବ୍ୟାଟ୍ରୁ କୌଣସି ବଡ଼ ଇନିଂସ ଦେଖିବାକୁ ମିଳୁ ନ ଥିଲା। ଶେଷରେ ୫ ପାଳି ଅପେକ୍ଷା କରିବା ପରେ ମଙ୍ଗଳବାର ସେ ୨୦୦ ବଲ୍ରେ ୭୯ ରନ୍ର ଚମତ୍କାର ଇନିଂସ ଖେଳିଛନ୍ତି। ଏଣୁ ତାଙ୍କ ବ୍ୟାଟିଂକୁ ନେଇ କ୍ରମାଗତ ଭାବେ ଉଠୁଥିବା ପ୍ରଶ୍ନର ଜବାବ ଦେବାକୁ ସେ ପ୍ରସ୍ତୁତ ବୋଲି ଚର୍ଚ୍ଚା ହେଉଛି।