Categories: ଖେଳ

ରୋହିତଙ୍କ ସହ କରିବେ ଓପନିଂ: ସିରିଜ ଜିତିବା ପରେ ପ୍ରତିକ୍ରିୟା ରଖି ଏଭଳି ସଙ୍କେତ ଦେଲେ ଅଧିନାୟକ

ଅହମ୍ମଦାବାଦ,୨୧।୩: ଇଂଲଣ୍ଡକୁ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜକୁ ୩-୨ରେ ଜିତିଛି ଭାରତ। ଦଳ ଶେଷ ତଥା ନିର୍ଣ୍ଣାୟକ ମୁକାବିଲାରେ ଜିତିବା ପାଇଁ ଇଂଲଣ୍ଡ ସମ୍ମୁଖରେ ୨୨୫ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା। ହେଲେ ଅତିଥି ଦଳ ୨୦ ଓଭରରେ ମାତ୍ର ୧୮୮ ରନ୍‌ କରିପାରିଥିଲା। ଫଳରେ ଭାରତ ୩୬ ରନ୍‌ରେ ସିରିଜ ବିଜେତା ହୋଇଥିଲା। ଏହି ବିଜୟ ପରେ ଅଧିନାୟକ ବିରାଟ କୋହଲି ସନ୍ତୁଷ୍ଟ ଥିବା ଦେଖାଯାଇଛି। ଏନେଇ ପ୍ରତିକ୍ରିୟା ରଖି ସେ କହିଛନ୍ତି, କାକର ଥିବା ସତ୍ତ୍ୱେ ବିରୋଧି ଟିମ୍‌କୁ ସବୁଆଡୁ ହରାଇବା ଆମପାଇଁ ବଡ଼କଥା। ଋଷଭ ପନ୍ତ ଏବଂ ଶ୍ରେୟସ ଅୟରଙ୍କୁ ବ୍ୟାଟିଂ କରିବାକୁ ଆସିବାକୁ ପଡ଼ିଲା ନାହିଁ। ତଥାପି ଆମେ ୨୨୪ ରନ୍‌ କରିପାରିଲୁ। ଏଥିରୁ ଆମ ବ୍ୟାଟିଂ କେତେ ମଜଭୂତ ତାହା ପ୍ରମାଣିତ ହୋଇଛି। ଆମେ ସକରାତ୍ମକ ମନୋଭାବ ରଖିଥିଲୁ, ଆଗକୁ ମଧ୍ୟ ସେଭଳି ଖେଳିବାକୁ ଆଶା ରଖିଥିବା ଅଧିନାୟକ କହିଛନ୍ତି।

ଏହାଛଡ଼ା ଖେଳାଳିମାନଙ୍କ ପ୍ରଶଂସାରେ କୋହଲି କହିଛନ୍ତି, ରୋହିତ ଶର୍ମାଙ୍କ ବଡ ପାଳି ଦେଖିବାକୁ ମିଳିଲା। ଯଦି ସେ ସବୁବେଳେ ଏଭଳି ଖେଳନ୍ତି ବିରୋଧି ଟିମ୍‌ ଅଡ଼ୁଆରେ ପଡ଼ିବେ। ସୂର୍ଯ୍ୟକୁମାର ଯାଦବ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଭଲ ପ୍ରଦର୍ଶନ କରିଛନ୍ତି। ମୁଁ ତିନିଜଣଙ୍କ ସହ ଭାଗିଦାରୀର ମଜା ଉଠାଇଛି। ଆଇପିଏଲ୍‌ରେ ମଧ୍ୟ ମୁଁ ଓପନିଂ କରିବାକୁ ଯାଉଛି। ଆମର ମଧ୍ୟକ୍ରମ ମଜଭୂତ ନଜର ଆସିଛି। ରୋହିତଙ୍କ ସହ ଓପନିଂ କରିବାକୁ ଚାହିଁବି। ସବୁ ଭିତରେ ଈଶାନ କିଶନ ଏବଂ ସୂର୍ଯ୍ୟକୁମାର ମୋତେ ବେଶ୍‌ ପ୍ରଭାବିତ କରିଛନ୍ତି। ଏହାଛଡ଼ା ଭୁବନେଶ୍ୱର କୁମାରଙ୍କୁ ଦଳରେ ଦେଖି ଖୁସି ଲାଗୁଛି ବୋଲି ସେ କହିଛନ୍ତି।

Share