କିଶୋର କୁମାରଙ୍କ ବଙ୍ଗଳାକୁ ଭଡ଼ାରେ ନେଲେ କୋହଲି

ମୁମ୍ବାଇ: ବଲିଉଡ୍‌ର ଭେଟେରାନ ଅଭିନେତା ତଥା ଗାୟକ କିଶୋର କୁମାରଙ୍କର ମୁମ୍ବାଇର ଜୁହୁରେ ଏକ ବିଳାସପୂର୍ଣ୍ଣ ବଙ୍ଗଳା ରହିଛି। ତେବେ ଭାରତୀୟ କ୍ରିକେଟର ବିରାଟ କୋହଲି ଏହି ଅଭିନେତାଙ୍କ ବଙ୍ଗଳାକୁ ୫ ବର୍ଷ ପାଇଁ ଭଡ଼ାରେ ନେଇଛନ୍ତି। କାରଣ କୋହଲି ଖୁବ୍‌ଶୀଘ୍ର ଏଠାରେ ଏକ ନୂତନ ହାଇଗ୍ରେଡ୍‌ ରେଷ୍ଟୁରାଣ୍ଟ ଆରମ୍ଭ କରିବାକୁ ଯାଉଛନ୍ତି। କିଶୋର କୁମାରଙ୍କ ପୁଅ ଅମିତ କୁମାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ରିପୋର୍ଟ ଅନୁଯାୟୀ, କୋହଲି ଜୁହୁରେ କିଶୋର କୁମାରଙ୍କ ବଙ୍ଗଳାର କାର୍ଯ୍ୟ ଦ୍ରୁତଗତିରେ ଆରମ୍ଭ କରିଛନ୍ତି। ଏହାକୁ ଏକ ରେଷ୍ଟୁରାଣ୍ଟର ରୂପ ଦିଆଯିବ।
ଏଥିରେ ଅମିତ କୁମାର ଦସ୍ତଖତ ବି କରିଛନ୍ତି। କୋହଲିଙ୍କ ଏହି ନୂତନ ପ୍ରକଳ୍ପର କାର୍ଯ୍ୟ ପ୍ରାୟ ଶେଷ ହୋଇଛି। ଏହା ଆସନ୍ତା ମାସରୁ ଆରମ୍ଭ ହୋଇପାରେ। ଅମିତ କହିଛନ୍ତି, ‘ଲୀନା ଚନ୍ଦାଓ୍ବାର୍କରଙ୍କ ପୁଅ ସୁମିତ କିଛି ମାସ ପୂର୍ବରୁ କ୍ରିକେଟର କୋହଲିଙ୍କୁ ଭେଟି ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହି ସ୍ଥାନ କୋହଲିଙ୍କୁ ୫ ବର୍ଷ ପାଇଁ ଭଡ଼ା ଦିଆଯାଇଛି।

ଅମିତ ହେଉଛନ୍ତି କିଶୋରଙ୍କ ବଡ଼ ପୁଅ। କିଶୋର କୁମାର ଲୀନାଙ୍କୁ ଚତୁର୍ଥ ସ୍ତ୍ରୀ ଭାବରେ ଗ୍ରହଣ କରିଥିଲେ। ସୁମିତ ତାଙ୍କର ଏକମାତ୍ର ପୁତ୍ର। ଅମିତ କୁମାର କିଶୋରଙ୍କ ପ୍ରଥମ ସ୍ତ୍ରୀ ରୁମା ଗୁହାଙ୍କ ପୁଅ। ଅମିତ ମଧ୍ୟ ତାଙ୍କ ପିତାଙ୍କ ପରି ଜଣେ ପ୍ଲେ-ବ୍ୟାକ୍‌ ଗାୟକ, ଅଭିନେତା ଏବଂ ସଙ୍ଗୀତ ନିର୍ଦ୍ଦେଶକ।

କୋହଲିଙ୍କ ଦିଲ୍ଲୀରେ ମଧ୍ୟ ଏକ ରେଷ୍ଟୁରାଣ୍ଟ ରହିଛି। ୨୦୧୭ରେ ଏହା ଦିଲ୍ଲୀର ଆର.କେ ପୁରମରୁ ଆରମ୍ଭ ହୋଇଥିଲା। କେବଳ ଏତିକି ନୁହେଁ, ବିରାଟଙ୍କର WROGN ନାମକ ଏକ ପୋଷାକ ବ୍ରାଣ୍ଡ ମଧ୍ୟ ବହୁତ ଲୋକପ୍ରିୟ।