Categories: ଖେଳ

ଭଗବାନ ରାମଙ୍କ ଶରଣ ପଶିଲେ କୋହଲି !

ନୂଆଦିଲ୍ଲୀ,୧୬।୭: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଲଗାତାର ଖରାପ ପ୍ରଦର୍ଶନ କରୁଛନ୍ତି। ଆଇପିଏଲ୍‌ ପରେ ଇଂଲଣ୍ଡ ଗସ୍ତରେ ମଧ୍ୟ କୋହଲି ନିରାଶ କରିଛନ୍ତି। ତେବେ ଏହି ଗସ୍ତର ଶେଷ ମ୍ୟାଚ୍‌ ଖେଳାଯିବାକୁ ଥିବା ବେଳେ ପ୍ରଶଂସକ କୋହଲିଙ୍କଠାରୁ ଏକ ବଡ଼ ଇନିଂସ ଆଶା ରଖିଛନ୍ତି। ତେବେ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ପୂର୍ବରୁ କ୍ରିକେଟର ଭଜନ-କୀର୍ତ୍ତନ କରିଥିବା ଦେଖାଯାଇଛି। ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ସହ କୋହଲି ଆମେରିକାର ପ୍ରସିଦ୍ଧ ଭଜନ ଗାୟକ କୃଷ୍ଣ ଦାସଙ୍କ କୀର୍ତ୍ତନ ସମାବେଶରେ ଯୋଗ ଦେଇଥିଲେ। ଏହି କୀର୍ତ୍ତନର ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ଲଣ୍ଡନରେ ଆମେରିକୀୟ ଗାୟକ କୃଷ୍ଣ ଦାସଙ୍କ ଦ୍ୱାରା ଏହି ‘ସୀତାରାମ’ କୀର୍ତ୍ତନ ଆୟୋଜିତ ହୋଇଥିଲା। ସେ ଭଜନ ଗୀତ ପାଇଁ ବେଶ ଜଣାଶୁଣା। କୃଷ୍ଣ ଦାସଙ୍କ ଶିଷ୍ୟ ହନୁମାନ ଦାସ ଇନଷ୍ଟାଗ୍ରାମରେ ବିରାଟ ଓ ଅନୁଷ୍କାଙ୍କ ସହ ତାଙ୍କର ଏକ ଫଟୋ ଓ ଭିଡିଓ ଶେୟାର କରିଛନ୍ତି। ଏହି ଭଜନ କାର୍ଯ୍ୟକ୍ରମ ୧୪ରୁ ୧୫ ଜୁଲାଇ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା।

ପ୍ରକାଶ ଯେ, କୋହଲି ଦେଢ଼ ବର୍ଷ ଧରି ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଶତକ ଏବଂ ୫ ମାସରୁ କୌଣସି ଅର୍ଦ୍ଧଶତକ ମାରି ନାହାନ୍ତି। ୨୦୧୯ ନଭେମ୍ବରରେ ସେ ବାଲାଂଦେଶ ବିପକ୍ଷରେ ଶତକ ମାରିଥିଲେ। ସେତେବେଳେ ସେ ୧୩୬ ରନ୍‌ର ଇନିଂସ ଖେଳିଥିଲେ। ଏହାପରଠାରୁ କୋହଲି ତିନୋଟି ଯାକ ଫର୍ମାଟରେ ଶତକ ମାରିପାରିନାହାନ୍ତି।

Share