ନୂଆଦିଲ୍ଲୀ,୪।୨: ଆଜିକାଲି ଡବ୍ଲୁପିଏଲ୍ ଖେଳାଯାଉଛି। ଟୁର୍ନାମେଣ୍ଟର ପ୍ରାୟ ଅଧା ଅର୍ଥାତ୍ ୧୦ଟି ମ୍ୟାଚ ଖେଳାଯାଇଛ। ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ସ ଦଳ ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନରେ ରହିଛି। ମେଗ ଲେନିଙ୍ଗଙ୍କ ଅଧିନାୟକତ୍ୱରେ ଦିଲ୍ଲୀ ୪ଟି ମ୍ୟାଚ ମଧ୍ୟରୁ ୩ଟି ଜିତିଛି।
ମହିଳା ପ୍ରିମିୟର ଲିଗରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିବା ରାଧା ଯାଦବ ପ୍ରତ୍ୟେକ ମ୍ୟାଚ ପୂର୍ବରୁ ୟୁଟ୍ୟୁବରେ ବିରାଟ କୋହଲିଙ୍କ ଆଗ୍ରେସିଭ୍ ଭିଡିଓ ଦେଖନ୍ତି। ସାଥୀ ଖେଳାଳି ଜେମିମା ରୋଡ୍ରିଗୁସଙ୍କ ସହ କଥାବାର୍ତ୍ତା ବେଳେ ରାଧା କହିଛନ୍ତି, ବିରାଟ କୋହଲି ତାଙ୍କର ଆଦର୍ଶ ଏବଂ ସେ ପ୍ରତ୍ୟେକ ମ୍ୟାଚ ପୂର୍ବରୁ ତାଙ୍କ ଭିଡିଓ ଦେଖନ୍ତି, ଯାହା ତାଙ୍କୁ ପ୍ରେରଣା ଦେଇଥାଏ।
ରାଧା ଯାଦବଙ୍କ ସହ କଥାବାର୍ତ୍ତା ବେଳେ ଜେମିମା ପଚାରିଥିଲେ, ମୁଁ ରାଧାଙ୍କ ୟୁଟ୍ୟୁବ ହିଷ୍ଟ୍ରିକୁ ଦେଖୁଥିଲି, ତାପରେ ମୁଁ ସର୍ଚ୍ଚରେ ‘ବିରାଟ କୋହଲିଙ୍କ ଆଗ୍ରେସିଭ୍ ଭିଡିଓ’ ଦେଖିଲି। ଏହା ପଛରେ ରହସ୍ୟ କ’ଣ? ଏହାର ଜବାବରେ ରାଧା କହିଛନ୍ତି, ବିରାଟ କୋହଲି ଭାୟା ମୋର ଆଦର୍ଶ ଏବଂ ପ୍ରେରଣା। ପ୍ରତ୍ୟେକ ମ୍ୟାଚ ପୂର୍ବରୁ ମୁଁ ତାଙ୍କ ଭିଡିଓ ଦେଖେ ଏବଂ ସେ ମୋତେ ବହୁତ ପ୍ରେରଣା ଦିଅନ୍ତି।