କୋହଲି କହିଲେ ‘ଆଇ ଲଭ୍‌ ୟୁ’; ଜବାବରେ…

ନୂଆଦିଲ୍ଲୀ, ୨୦।୧୧: ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍‌ ଏବି ଡି’ଭିଲର୍ସ କ୍ରିକେଟର ସମସ୍ତ ଫର୍ମାଟରୁ ତାଙ୍କର ଅବସର ନେଇ ଘୋଷଣା କରିଛନ୍ତି। ଦୀର୍ଘ ୧୭ ବର୍ଷ ଧରି ସେ ତାଙ୍କ ୩୬୦ ଡିଗ୍ରୀ ବ୍ୟାଟିଂ ପାଇଁ ଅପ୍ରତିଦ୍ୱନ୍ଦ୍ୱୀ ଥିଲେ। ଏହି ଘୋଷଣା ସହ କ୍ରିକେଟରଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ସହ ସମ୍ପର୍କ ଛିନ୍ନ ହୋଇଛି। ତେବେ ଡି’ଭିଲର୍ସ ଦିଲ୍ଲୀ ଡେୟାରଡେଭିଲ୍ସ ପକ୍ଷରୁ ଖେଳି ଆଇପିଏଲ୍‌ର ଶୁଭାରମ୍ଭ କରିଥିଲେ। ଚତୁର୍ଥ ସିଜନ ପରେ ସେ ଆର୍‌ସିବି ପକ୍ଷରୁ ଖେଳିବା ଆରମ୍ଭ କରିଥିଲେ। ସେବେଠାରୁ ଧିରେ ଧିରେ ସେ ଆର୍‌ସିବି ଅଧିନାୟକ ବିରାଟ କୋହଲିଙ୍କ ଭଲ ବନ୍ଧୁ ପାଲଟିଥିଲେ। ଏବେ ହଠାତ୍‌ କ୍ରିକେଟରୁ ଅବସର ଘୋଷଣା କରିବା ପରେ କୋହଲି ଭାବବିହ୍ବଳ ହୋଇଛନ୍ତି। ସେ ଟୁଇଟ୍‌ ମାଧ୍ୟମରେ ‘ମୁଁ ତୁମକୁ ବହୁତ ଭଲପାଏ’ ବୋଲି ଲେଖିଛନ୍ତି।

ମୂଳ ଟୁଇଟ୍‌ରେ କୋହଲି ଲେଖିଛନ୍ତି, ଡି’ଭିଲର୍ସଙ୍କ ଏହି ନିଷ୍ପତ୍ତି ମୋତେ ଦୁଃଖିତ କରିଛି। ଆମ ସମୟର ତୁମେ ସର୍ବଶ୍ରେଷ୍ଠ ଖେଳାଳି ଏବଂ ପ୍ରେରଣାଦାୟୀ। ଆର୍‌ସିବି ପାଇଁ ତୁମେ ଯାହା କରିଛ ଏବଂ ଦେଇଛ ସେଥିପାଇଁ ଗର୍ବ ଅନୁଭବ କରିପାର। ଆମ ବନ୍ଧୁତା ଖେଳଠାରୁ ବହୁତ ଆଗରେ ଥିଲା ଆଉ ରହିବ ମଧ୍ୟ। ମୁଁ ଜାଣେ ତୁମେ ନିଜ ପାଇଁ ଏବଂ ନିଜ ପରିବାର ପାଇଁ ସର୍ବଦା ଠିକ୍‌ ନିଷ୍ପତ୍ତି ନେଇଛ। ଆଇ ଲଭ୍‌ ୟୁ’। ଏହାର ଜବାବ ଦେଇ ‘ଲଭ୍‌ ୟୁ ଠୁ ମୋ ଭାଇ’ ବୋଲି ଡି’ଭିଲର୍ସ କହିଛନ୍ତି।

Share