Categories: ଖେଳ

ଗୁରୁବାର ୫୦୦ତମ ମ୍ୟାଚ ଖେଳିବେ ବିରାଟ, ସଚିନଙ୍କ କ୍ଲବରେ ଦେବେ ଯୋଗ, ଅଶ୍ୱିନଙ୍କ ଟାର୍ଗେଟରେ କୁମ୍ବଲେଙ୍କ ରେକର୍ଡ…

ତ୍ରିନିଦାଦ,୧୮।୭ : ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ଦୁଇ ଟିକିଆ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଗୁରୁବାର (ଜୁଲାଇ ୨୦) ଠାରୁ ତ୍ରିନିଦାଦରେ ଖେଳାଯିବ। ଏହି ସିରିଜରେ ଟିମ ଇଣ୍ଡିଆ ୧-୦ରେ ଆଗରେ ରହିଛି। ଡୋମିନିକାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ସେ ଏକ ଇନିଂସ ଏବଂ ୧୪୧ ରନରେ ଜିତିଥିଲା। ତ୍ରିନିଦାଦରେ ଖେଳାଯିବାକୁ ଥିବା ମ୍ୟାଚ୍‌ ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ୫୦୦ ତମ ଅନ୍ତର୍ଜାତୀୟ ମ୍ୟାଚ ହେବ। କୋହଲି ଏପର୍ଯ୍ୟନ୍ତ ୪୯୯ ମ୍ୟାଚ ଖେଳିଛନ୍ତି। ସେ ଦେଶ ପାଇଁ ୧୧୦ଟେଷ୍ଟ, ୨୭୪ ଟି ଏକଦିବସୀୟଏବଂ ୧୧୫ ଟି -୨୦ ମ୍ୟାଚ ଖେଳିଛନ୍ତି।

୫୦୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିବାରେ କୋହଲି ପୃଥିବୀର ଦଶମ ଖେଳାଳି ହେବେ। ୫୦୦ ଅନ୍ତର୍ଜାତୀୟ ମ୍ୟାଚ ଖେଳି ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂ ଧୋନି ଏବଂ ରାହୁଲ ଦ୍ରାବିଡଙ୍କ ପରେ ସେ ଚତୁର୍ଥ ଭାରତୀୟ ଖେଳାଳି ହେବେ। ସଚିନ ତାଙ୍କ କ୍ୟାରିୟରରେ ୬୬୪ ଟି ମ୍ୟାଚ ଖେଳିଥିଲେ। ଧୋନି ୫୩୮ ଏବଂ ଟିମ ଇଣ୍ଡିଆର ଦ୍ରାବିଡ ତଥା ବର୍ତ୍ତମାନର କୋଚ ୫୦୯ ଟି ମ୍ୟାଚ ଖେଳିଛନ୍ତି।

 

ଏହି ମ୍ୟାଚରେ ଅଶ୍ୱିନଙ୍କ ଟାର୍ଗେଟରେ କୁମ୍ବଲେଙ୍କ ରେକର୍ଡ ରହିବ। ଶେଷ ମ୍ୟାଚରେ ଅଶ୍ୱିନ ୧୨ ୱିକେଟ ନେଇଥିଲେ। ସେ ଅଷ୍ଟମ ଥର ପାଇଁ ଏକ ମ୍ୟାଚରେ ୧୦ କିମ୍ବା ଅଧିକ ୱିକେଟ ନେଇଥିଲେ। ଏହି ପରିପ୍ରେକ୍ଷୀରେ ଅଶ୍ୱିନ ଅନିଲ କୁମ୍ବଲେଙ୍କ ଆଠ ଥର ରେକର୍ଡ ସହ ସମାନ ହୋଇଥିଲେ। ତ୍ରିନିଦାଦରେ ଯଦି ସେ ଦୁଇଟି ଇନିଂସ ମଧ୍ୟରୁ ଗୋଟିଏରେ ପାଞ୍ଚରୁ ଅଧିକ ୱିକେଟ ନେବେ, ତେବେ ସେ କୁମ୍ବଲେଙ୍କଠାରୁ ଆଗକୁ ଯାଇପାରିବେ। ଏହା ବ୍ୟତୀତ ସେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମ୍ୟାଚରେ ସର୍ବାଧିକ ୱିକେଟ ନେବା ଦୃଷ୍ଟିରୁ କୁମ୍ବଲେଙ୍କୁ ମଧ୍ୟ ପଛରେ ପକାଇବେ। ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚରେ ପୂର୍ବତନ ଅଧିନାୟକ କୁମ୍ବଲେ ୭୪ ୱିକେଟ ନେଇଛନ୍ତି। ଅଶ୍ୱିନଙ୍କ ୭୨ ୱିକେଟ ରହିଛି। ପୂର୍ବତନ ଭେଟେରାନ ବୋଲରଙ୍କୁ ଅତିକ୍ରମ କରିବାକୁ ତାଙ୍କୁ ଆଉ ତିନୋଟି ୱିକେଟ ଦରକାର।

ଅଶ୍ୱିନ ତାଙ୍କ ଟେଷ୍ଟ କ୍ୟାରିୟରରେ ୩୪ ଥର ଏକ ଇନିଂସରେ ପାଞ୍ଚ କିମ୍ବା ଅଧିକ ୱିକେଟ ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ସେ ଶ୍ରୀଲଙ୍କାର ରଙ୍ଗନା ହେରାଥଙ୍କ ସହ ପଞ୍ଚମ ସ୍ଥାନରେ ଅଛନ୍ତି। ଯଦି ସେ ତ୍ରିନିଦାଦରେ ଗୋଟିଏ ଇନିଂସରେ ପାଞ୍ଚ ୱିକେଟ କିମ୍ବା ତା’ଠାରୁ ଅଧିକ ନିଅନ୍ତି, ତେବେ ସେ କୁମ୍ବଲେଙ୍କ ସହ ସମାନ ସ୍ଥିତି ହାସଲ କରିବେ।

Share