Categories: ଖେଳ

ସେହ୍ବାଗ କହିଲେ, ‘ନାଁ ସାର୍ବଜନୀନ କରନ୍ତୁ ଚହଲ’

ନୂଆଦିଲ୍ଲୀ,୮।୪: ସାଥୀ ଖେଳାଳିଙ୍କ ମଧ୍ୟରେ ନିଜର ମଜାଳିଆ ସ୍ବଭାବ ଏବଂ ବ୍ୟବହାରକୁ ନେଇ ଜଣାଶୁଣା ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲ ୯ ବର୍ଷ ପୂର୍ବେ ସମ୍ମୁଖୀନ ହୋଇଥିବା ଏକ ଘଟଣା ଉପରୁ ପରଦା ହଟାଇ ଚର୍ଚ୍ଚାରେ। ରାଜସ୍ଥାନ ରୟାଲ୍ସ ପକ୍ଷରୁ ଟୁଇଟ୍‌ କରାଯାଇଥିବା ଏକ ଭିଡିଓରେ ସେ ଏକ ଖୁଲାସା କରିଥିଲେ। ୨୦୧୩ରେ ମୁମ୍ବାଇ ଇଣ୍ଡିଆନ୍ସର ସଦସ୍ୟ ଥିବା ବେଳେ ଜଣେ ମଦ୍ୟପ ସାଥୀ ଖେଳାଳି ତାଙ୍କୁ ୧୫ ମହଲା ବାଲ୍‌କୋନିରୁ ଟାଙ୍ଗି ଦେଇଥିଲେ। ତାଙ୍କର ଛୋଟିଆ ଅସାବଧାନତା ଯୋଗୁ ସେ ଖସି ପଡ଼ିଥାନ୍ତେ ବୋଲି ଚହଲ ଭିଡିଓରେ କହିଥିଲେ। ଏହି ଲୋମହର୍ଷକାରୀ ଘଟଣା ସାମ୍ନାକୁ ଆସିବା ପରେ ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ବିରେନ୍ଦ୍ର ସେହ୍ବାଗ ଚହଲଙ୍କୁ ତାଙ୍କ ନାମ ପ୍ରକାଶ କରିବାକୁ କହିଛନ୍ତି।

ମୁନ୍ନାଭାଇ ଏମ୍‌ବିବିଏସ୍‌ ଫିଲ୍ମର ଏକ ଦୃଶ୍ୟର ଫଟୋ ଶେୟାର କରି ସେହ୍ବାଗ କହିଛନ୍ତି, ଚହଲଙ୍କୁ ନିଶାରେ ବାଲକନୀରୁ ଲଟକାଇ ରଖିଥିବା ଖେଳାଳିଙ୍କ ନାମ କହିବା ଉଚିତ। ଯଦି ଏହି ଘଟଣା ସତ ତେବେ ଏହାକୁ ମଜାଳିଆ ଭାବେ ନେବା ଅନୁଚିତ। ସେ ଦିନ କ’ଣ ହୋଇଥିଲା ଏବଂ ଘଟଣାର ସମ୍ବେଦନଶୀଳତାକୁ ଦେଖି କେଉଁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା ତାହା ଜାଣିବା ଉଚିତ ବୋଲି ମଧ୍ୟ ସେ କହିଛନ୍ତି।

Share