ଅହମ୍ମଦାବାଦ,୧୪।୩: ଇଂଲଣ୍ଡ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍ର ଟସ୍ ପଡିବା ସମୟରେ ଭାରତୀୟ ଅଧିନାୟକ ବିରାଟ କୋହଲି ଏକ ଖୁଲାସା କରିଥିଲେ। ମ୍ୟାଚ୍ ଆରମ୍ଭର ୨୪ ଘଣ୍ଟାରୁ କମ୍ ସମୟ ପୂର୍ବରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ରୋହିତ ଶର୍ମା ଏବଂ କେଏଲ୍ ରାହୁଲ ଓପନିଂ କରିବେ ବୋଲି କହିଥିଲେ। ହେଲେ ଟସ୍ ବେଳେ ରୋହିତଙ୍କୁ କିଛି ମ୍ୟାଚ୍ରେ ଆରାମ କରିବାକୁ ଦିଆଯାଇଥିବା କୋହଲି ସ୍ପଷ୍ଟ କରିଥିଲେ। ଏହା ଅନେକଙ୍କୁ ଚକିତ କରିଥିଲା। ପରେ ମ୍ୟାଚ୍ରେ ଭାରତର ଟପ୍ ଅର୍ଡର୍ ଫେଲ୍ ମାରିଥିଲା। ଶିଖର ଧଓ୍ବନ ୪, ରାହୁଲ ୧ ଏବଂ ନିଜେ ଅଧିନାୟକ ଖାତା ନ ଖୋଲି ପ୍ୟାଭିଲିୟନ ଫେରିଥିଲେ। ଘଟଣାକୁ ନେଇ ଏବେ ପୂର୍ବ ଭାରତୀୟ ବିସ୍ଫୋରକ ଓପନର ବିରେନ୍ଦ୍ର ସେହଓ୍ବାଗ୍ କୋହଲିଙ୍କ ସମାଲୋଚନା କରିଛନ୍ତି।
କ୍ରିକ୍ବଜ୍ର ଲାଇଭ୍ ଶୋ’ରେ ସେହଓ୍ବାଗ୍ କହିଛନ୍ତି, ରୋହିତଙ୍କୁ ଆରାମ ଦିଆଯାଇଥିବା କୁହାଗଲା। ହେଲେ ଏହି ନିୟମ କୋହଲିଙ୍କ ଉପରେ କାହିଁକି ଲାଗୁ କରାଯାଉନାହିଁ। ଜଣେ ଅଧିନାୟକ ଭାବେ ଆଗାମୀ ଦୁଇରୁ ୩ ମ୍ୟାଚ୍ ଆରାମ ନେବାକୁ ଯାଉଛି ବୋଲି ସେ କହିବେ ବୋଲି ଭାବୁନାହିଁ। କାରଣ ସେ ଏଭଳି କେବେ କରିଥିବା ମନେ ପଡ଼ୁନାହିଁ। ଯଦି ଅଧିନାୟକ ନିଜେ ବ୍ରେକ୍ ନେଉ ନାହାନ୍ତି ତେବେ ସେ ଅନ୍ୟ ଲୋକଙ୍କୁ କିଭଳି ବ୍ରେକ୍ ଦେଉଛନ୍ତି। ଏହା ଖେଳାଳି ଉପରେ ନିର୍ଭର ହେବା ଉଚିତ ବୋଲି ସେହଓ୍ବାଗ୍ କହିଛନ୍ତି।