Categories: ଖେଳ

ପାକିସ୍ତାନ ଜିତିଲା ବୋଲି ବାଣ ଫୁଟୁଛି, ତେବେ ଦୀପାବଳିରେ କାହିଁକି ନୁହେଁ: ସେହ୍ବାଗ

ନୂଆଦିଲ୍ଲୀ,୨୬।୧୦: ଟି-୨୦ ବିଶ୍ୱକପ୍‌ ୨୦୨୧ରେ ଭାରତ ଆରମ୍ଭରୁ ପରାଜୟର ସମ୍ମୁଖୀନ ହୋଇଛି। ରବିବାର ଖେଳାଯାଇଥିବା ସୁପର-୧୨ ରାଉଣ୍ଡର ପ୍ରଥମ ମ୍ୟାଚ୍‌ରେ ଦଳ ପାକିସ୍ତାନଠାରୁ ୧୦ ଉଇକେଟରେ ପରାସ୍ତ ହୋଇଥିଲା। ଅନ୍ୟପକ୍ଷେ ଏହା ପାକିସ୍ତାନର ବିଶ୍ୱକପ୍‌ରେ ପ୍ରଥମ ବିଜୟ। ତେବେ ଚିର ପ୍ରତିନ୍ଦ୍ୱନ୍ଦ୍ୱୀ ପାକିସ୍ତାନଠାରୁ ଶୋଚନୟ ପରାଜୟ ପରେ ଭାରତର କିଛି ସ୍ଥାନରେ କଥିତ ଭାବେ ବାଣ ଫୁଟାଯାଇଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ଓପନର୍‌ ତଥା ବିସ୍ଫୋରକ ବ୍ୟାଟ୍ସମ୍ୟାନ ବିରେନ୍ଦ୍ର ସେହ୍ବାଗ।

ଦେଶରେ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲାଗିଛି। ତେବେ ଏହି ବାଣ କେଉଁଠୁ ଆସିଛି। ଲୋକମାନଙ୍କୁ କେବଳ ଦୀପାବଳିରେ ବାଣ ଫୁଟାଇବା କଥା ନଜର ଆସୁଛି। ପାକିସ୍ତାନ ବିଜୟକୁ ନେଇ ଭାରତର କିଛି ସ୍ଥାନରେ ଉତ୍ସବ ପାଳନ କରାଯାଇଥିଲା। କ୍ରିକେଟର ବିଜୟକୁ ନେଇ ସେମାନେ ଉତ୍ସବ ପାଳୁଥାଇପାରନ୍ତି। ତେବେ ଦୀପାବଳିରେ ବାଣ ଫୁଟାଇବାରେ ଅସୁବିଧା କେଉଁଠି। ସବୁ ଜ୍ଞାନ ସେତେବେଳେ ହିଁ ମନେ ପଡେ ବୋଲି ସେହ୍ବାଗ କଟାକ୍ଷ କରି କହିଛନ୍ତି।