Categories: ଖେଳ

କୋହଲିଙ୍କ ନିଷ୍ପତ୍ତିକୁ ନେଇ ଖୁସି ନାହାନ୍ତି ସେହ୍ବାଗ; ଦେଲେ ଏଭଳି ବଡ଼ ବୟାନ

ନୂଆଦିଲ୍ଲୀ,୨୦।୯: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୧ ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ଅଧିନାୟକ ପଦ ଛାଡ଼ିବେ ବିରାଟ କୋହଲି। ନିକଟରେ ଜାତୀୟ ଟି୨୦ ଦଳର ଅଧିନାୟକ ପଦରୁ ଓହରିବାକୁ ନେଇ ସେ ନିଷ୍ପତ୍ତି ନେଇଥିବା ବେଳେ ଏବେ କୋହଲିଙ୍କ ଏହି ଘୋଷଣା ସମସ୍ତଙ୍କୁ ଚମକାଇଛି। କିଛି ଏହାର ସମର୍ଥନରେ ବାହାରିଥିବା ବେଳେ କିଛି ଏହାକୁ ନାପସନ୍ଦ କରିଛନ୍ତି। ଏହି କ୍ରମରେ ପୂର୍ବତନ ବିସ୍ଫୋରକ ଓପନର୍‌ ବିରେନ୍ଦ୍ର ସେହ୍ବାଗ କହିଛନ୍ତି, ଆର୍‌ସିବି ସେତେ ଭଲ ଟିମ୍‌ ନ ହେଲେ ମଧ୍ୟ କୋହଲିଙ୍କ ପାଇଁ ଭଲ ପ୍ରଦର୍ଶନ କରୁଥିଲା। ଏଣୁ ଅଧିନାୟକ ପଦରୁ ହଟିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବେ କୋହଲିଙ୍କ ବ୍ୟକ୍ତିଗତ। ତିନି ବର୍ଷ ଧରି ଦିଲ୍ଲୀ ଡେୟାରଡେଭିଲ୍ସର ଅଧିନାୟକ ରହିଥିଲି। ଯେତେବେଳେ ମୁଁ ଅଧିନାୟକ ପଦରୁ ହଟିଥିଲି, ସେତେବେଳେ ଏହା ପଛରେ କେବଳ ଗୋଟିଏ କାରଣ ଥିଲା। ସେଇଟି ହେଲା ଟ୍ରଫି ନ ଜିତିପାରିବା। ଦଳ ଫାଇନାଲରେ ମଧ୍ୟ ପହଞ୍ଚିପାରୁ ନ ଥିଲା। କେବେ କେବେ ଆମର ଭାଗ୍ୟ ତ କେବେ କିଛି ଭୁଲ ପାଇଁ ଦଳ ବିଜେତା ହୋଇପାରୁ ନ ଥିଲା। ଏଥିପାଇଁ ନୂଆ ଅଧିନାୟକ ଆସିଲେ ଚିନ୍ତାଧାରା ବଦଳିବ ଏବଂ ଦଳ ଜିତିପାରିବ ବୋଲି ମୋତେ ଲାଗିଥିଲା ବୋଲି ସେହ୍ବାଗ କହିଛନ୍ତି।

ଏହାଛଡ଼ା ବିରାଟ କାହିଁକି ଅଧିନାୟକ ପଦ ଛାଡ଼ିଛନ୍ତି ତାହା ଜଣାପଡ଼ୁନାହିଁ। ସେ ଟି୨୦ ଫର୍ମାଟରୁ ସନ୍ୟାସ ନେବାକୁ ଚାହୁଁଥିଲେ ନଚେତ ଏହି ଫର୍ମାଟକୁ କମ୍‌ ଖେଳିବାକୁ ଚାହୁଁଥିଲେ କିଛି ବୁଝା ପଡ଼ିଥାନ୍ତା। ହେଲେ ସେ ଆର୍‌ସିବି ପାଇଁ ଖେଳିବେ। ତେଣୁ କୌଣସି କାରଣ ଠିକ୍‌ ଲାଗୁନାହିଁ। ଯେତେବେଳେ କୋହଲି ଅଧିନାୟକ ହୋଇଥାନ୍ତି ସେ ଚାପରେ ଥିବା ଲାଗି ନ ଥାଏ। ସେ ନିଜର ଖେଳାଳିମାନଙ୍କୁ ସର୍ବଶ୍ରେଷ୍ଠ ଦେବାକୁ ପ୍ରୋତ୍ସାହିତ କରିଥାନ୍ତି। ଏବେ ସେ ଖେଳାଳିଭାବେ ଦଳରେ ରହିବାକୁ ଯାଉଥିବାରୁ ଆଗାମୀ ଦିନରେ ସେ କିଭଳି ମନୋସ୍ଥିତି ସହ ପଡ଼ିଆକୁ ଓହ୍ଲାଉଛନ୍ତି ଦେଖିବା ବାକି ରହିଥିବା ସେହ୍ବାଗ ମଧ୍ୟ କହିଛନ୍ତି।

Share