Categories: ଖେଳ

କୋହଲିଙ୍କ ଭବିଷ୍ୟତକୁ ନେଇ ସେହ୍ବାଗ କହିଲେ ବଡ଼ କଥା; ଟେଷ୍ଟ-ଦିନିକିଆରେ…

ନୂଆଦିଲ୍ଲୀ,୧୦।୧୧: ବିରାଟ କୋହଲିଙ୍କୁ ଟେଷ୍ଟ ଏବଂ ଦିନିକିଆ ଦଳର ଅଧିନାୟକତ୍ୱ ଛାଡ଼ିବା ଉଚିତ ନୁହେଁ। ଏପରି କହିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ବିରେନ୍ଦ୍ର ସେହ୍ବାଗ। ଫେସବୁକ ପୃଷ୍ଠାରେ ମଙ୍ଗଳବାର ଜଣେ ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଏହା ବିରାଟଙ୍କ ନିଷ୍ପତ୍ତି। ହେଲେ ମୋତେ ଲାଗୁଛି ତାଙ୍କୁ ବାକି ଦୁଇ ଫର୍ମାଟର ଅଧିନାୟକତ୍ୱ ଛାଡ଼ିବା ଉଚିତ ନୁହେଁ। ଯଦି ସେ ଜଣେ ଖେଳାଳି ଭାବେ ଖେଳିବାକୁ ଚାହାନ୍ତି ତେବେ ଏହା ତାଙ୍କର ନିଷ୍ପତ୍ତି। କିନ୍ତୁ ଭାରତ ତାଙ୍କ ଅଧିନାୟକତ୍ୱରେ ଭଲ ଖେଳୁଛି। ଅଧିନାୟକ ଭାବେ ତାଙ୍କ ରେକର୍ଡ ମଧ୍ୟ ଭଲ। ଏଣୁ ଆଗାମୀ ଦିନରେ ସେ ଯେଉଁ ନିଷ୍ପତ୍ତି ନେବେ ତାଙ୍କର ବ୍ୟକ୍ତିଗତ ହେବ। ମାତ୍ର ମୋ ହିସାବରେ ସେ ଭାରତର ନେତୃତ୍ୱ ନେବା ଆବଶ୍ୟକ ବୋଲି ସେହ୍ବାଗ କହିଛନ୍ତି। ଏହାଛଡ଼ା କୋହଲି ଜଣେ ଭଲ ଖେଳାଳି। ଆକ୍ରାମକ ଅଧିନାୟକ। ଆଗକୁ ଆସି ନେତୃତ୍ୱ ନେଇଥାନ୍ତି ବୋଲି ସେ ମଧ୍ୟ କହିଛନ୍ତି।

ପ୍ରକାଶ ଯେ, ଅଧିନାୟକ ଭାବେ କୋହଲି ନିଜର ଶେଷ ଟି-୨୦ ଦୁବାଇରେ ନାମିବିଆ ବିପକ୍ଷରେ ଖେଳିଥିଲେ। ଏହି ମ୍ୟାଚ୍‌ରେ ବିଜେତା ହୋଇଥିଲେ ହେଁ ଭାରତ ଟୁର୍ନାମେଣ୍ଟର ସୁପର-୧୨ରୁ ଆଗକୁ ଯାଇପାରି ନ ଥିଲା। ପୂର୍ବରୁ ଟି-୨୦ ଭାବେ ଏହା ଶେଷ ଟୁର୍ନାମେଣ୍ଟ ବୋଲି କୋହଲି ଘୋଷଣା କରିଥିଲେ।