Categories: ଖେଳ

ଚେନ୍ନାଇର ଆଗାମୀ ଅଧିନାୟକ ହୋଇପାରନ୍ତି ଏହି ଷ୍ଟାର ଅଲରାଉଣ୍ଡର: ସେହ୍ବାଗ

ମୁମ୍ବାଇ,୧୪।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୨ ସିଜନରେ ଚେନ୍ନାଇ ସୁପର କିଙ୍ଗ୍ସ ନୈରାଶ୍ୟଜନକ ପ୍ରଦର୍ଶନ କରିଆସିଛି। ଏଥିଯୋଗୁ ଦଳ ପ୍ଲେ-ଅଫ୍‌ ଦୌଡ଼ରୁ ବାହାର ହୋଇଛି। ତେବେ ଟୁର୍ନାମେଣ୍ଟ ଆରମ୍ଭରୁ ଦଳ ଚକିତ କଲାଭଳି ନିଷ୍ପତ୍ତି ନେଇଥିଲା। ଏହାର ପରିଣାମ ଦଳକୁ ମିଳିଛି ବୋଲି ଆଲୋଚନା କରାଯାଉଛି।

ଆଇପିଏଲ୍‌ ଆରମ୍ଭର ଦୁଇ ଦିନ ପୂର୍ବରୁ ଚେନ୍ନାଇ ମହେନ୍ଦ୍ର ସିଂହ ଧୋନୀଙ୍କ ସ୍ଥାନରେ ରବିନ୍ଦ୍ର ଜାଡେଜାଙ୍କୁ ଅଧିନାୟକ ଭାବେ ନିଯୁକ୍ତ କରିଥିଲା। ଏହି ଷ୍ଟାର ଅଲରାଉଣ୍ଡରଙ୍କ ଅଧୀନରେ ଦଳ ପ୍ରାରମ୍ଭର ୮ ମ୍ୟାଚ୍‌ରୁ କେବଳ ୨ଟିରେ ବିଜେତା ହୋଇଥିଲା। ଏଣୁ ଜାଡେଜାଙ୍କଠାରୁ ନେତୃତ୍ୱ କାଢ଼ି ନେଇ ପୁଣିଥରେ ଧୋନୀଙ୍କୁ ଦିଆଯାଇଥିଲା। ମାତ୍ର ସେତେବେଳକୁ ନେଡି ଗୁଡ଼ କହୁଣୀକୁ ବୋହି ଗଲାଣି।

ଜୁଲାଇ ୭ରେ ଧୋନୀଙ୍କୁ ୪୧ ବର୍ଷ ହେବ। ସେ ଆଗାମୀ ଆଇପିଏଲ୍‌ ଖେଳିବେ କି ନାହିଁ ତାହା ପ୍ରଶ୍ନବାଚୀ ହୋଇ ରହିଛି। ଏଭଳି ସ୍ଥିତିରେ ଚେନ୍ନାଇର ଉତ୍ତରାଧିକାରୀ କିଏ ହେବ ସେ ନେଇ ନାନାଦି ମତ ପ୍ରକାଶ ପାଉଛି। ପୂର୍ବ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବିରେନ୍ଦ୍ର ସେହ୍ବାଗ ମଧ୍ୟ ଏନେଇ ପ୍ରତିକ୍ରିୟା ଦେଇଛନ୍ତି। ଚେନ୍ନାଇର ଯୁବ ଓପନର୍‌ ଋତୁରାଜ ଗାୟକଓ୍ବାଡଙ୍କୁ ସେ ଆଗାମୀ ଅଧିନାୟକ କହିବା ସହ ତାଙ୍କ ତୁଳନା ଧୋନୀଙ୍କ ସହ କରିଛନ୍ତି।

ଋତୁରାଜଙ୍କୁ ନେଇ ସେହ୍ବାଗ କହିଛନ୍ତି, ସେ ମହାରାଷ୍ଟ୍ର କ୍ରିକେଟ ଟିମ୍‌ର ଅଧିନାୟକ। ଖେଳାଳି ଭାବେ ସେ ବହୁତ ଶାନ୍ତ ସ୍ବଭାବର। ସେ ଶତକ ମାରନ୍ତୁ ଅବା ଶୂନ ରନ୍‌ରେ ଆଉଟ୍‌ ହୁଅନ୍ତୁ, ସବୁଥିରେ ତାଙ୍କ ମନୋଭାବ ଏକାପ୍ରକାର ଥାଏ। ଅଧିନାୟକ ହେବାକୁ ଆବଶ୍ୟକ ସମସ୍ତ ଯୋଗ୍ୟତା ତାଙ୍କ ପାଖରେ ରହିଛି। ଧୋନୀ ଯେଉଁଭଳି କୁଲ୍‌ ରହିଥାନ୍ତି, ନିଷ୍ପତ୍ତି ନିଜେ ନେଇଥାନ୍ତି, ସେଭଳି ଋତୁରାଜଙ୍କଠାରେ ଗୁଣ ରହିଥିବା ସେହ୍ବାଗ ସ୍ପଷ୍ଟ କରିଛନ୍ତି।

Share