Categories: ଜାତୀୟ

‘ଭର୍ଚୁଆଲରେ ହୋଇପାରିବ ବିବାହ ପଞ୍ଜୀକରଣ’

ନୂଆଦିଲ୍ଲୀ, ୧୨ା୯: ଭିଡିଓ କନଫରେନ୍ସ ମାଧ୍ୟମରେ ଭର୍ଚୁଆଲ ଉପସ୍ଥିତିରେ ମଧ୍ୟ ଦମ୍ପତିଙ୍କ ବିବାହ ପଞ୍ଜୀକରଣ ହୋଇପାରିବ। ଏଥିପାଇଁ ବ୍ୟକ୍ତିଗତ ଉପସ୍ଥିତି ନିମନ୍ତେ ଥିବା କଠୋର ଆଇନ ଯୋଗୁ ଏବେର ସମୟରେ ନାଗରିକମାନଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରାଯାଇପାରିବ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ ଟିପ୍ପଣୀ ଦେଇଛନ୍ତି। ଆମେରିକାରେ ରହୁଥିବା ଭାରତୀୟ ଦମ୍ପତି ଭିଡିଓ କନଫରେନ୍ସିଂ ଜରିଆରେ ବିବାହ ପଞ୍ଜୀକରଣ ନିମନ୍ତେ ହାଇକୋର୍ଟରେ କରିଥିବା ଆବେଦନର ଶୁଣାଣି କରି ଜଷ୍ଟିସ୍‌ ରେଖା ପାଲ୍ଲି ଉପରୋକ୍ତ ରାୟ ଦେଇଛନ୍ତି। ରେଜିଷ୍ଟ୍ରେଶନ ଅର୍ଡର ଧାରା-୪ରେ ଭିଡିଓ କନଫରେନ୍ସ ମାଧ୍ୟମରେ ମଧ୍ୟ ‘ବ୍ୟକ୍ତିଗତ ଉପସ୍ଥିତି’କୁ ସାମିଲ କରାଯାଇପାରିବ। ଏଥିରେ ବାଧା ସୃଷ୍ଟିହେଲେ ବିବାହ ପଞ୍ଜୀକରଣ ଆଇନର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହୋଇପାରିବ ନାହିଁି ଏବଂ ଭିଡିଓ କନଫରେନ୍ସ ଭଳି ଗୁରୁତ୍ୱପୂର୍ଣ୍ଣ ତଥା ସହଜରେ ଉପଲବ୍ଧ ଉପକରଣ ବ୍ୟବହାର ଏ ଦିଗରେ ଉପଯୋଗ ହୋଇପାରିବ ନାହିଁ ବୋଲି ଜଷ୍ଟିସ୍‌ ପାଲ୍ଲି କହିଛନ୍ତି। ଏଥିସହ ସମ୍ପୃକ୍ତ ଯୋଡ଼ି ପଞ୍ଜୀକରଣ କର୍ତ୍ତୃପକ୍ଷଙ୍କ ନିକଟରେ ଭର୍ଚୁଆଲ ମାଧ୍ୟମରେ ଉପସ୍ଥିତ ରହି ସେମାନଙ୍କ ବିବାହ ରେଜିଷ୍ଟର କରିପାରିବେ ବୋଲି କୋର୍ଟ ଅନୁମତି ଦେଇଥିଲେ। ତେବେ ପଞ୍ଜୀକରଣ ବେଳେ କର୍ତ୍ତୃପକ୍ଷଙ୍କ ନିକଟରେ ଦୁଇଜଣ ସାକ୍ଷୀ ବୈଧ ପରିଚୟ ପତ୍ର ସହ ଶାରୀରିକ ଭାବେ ଉପସ୍ଥିତ ରହିବେ ବୋଲି ଅଦାଲତ କହିଛନ୍ତି।

Share