ନୂଆଦିଲ୍ଲୀ,୨୮।୮(ପି.ଟି.): ସିଧାସଳଖ ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ କରିବା ନିଶ୍ଚିତ ଭାବେ ସନ୍ତୋଷଜନକ। କିନ୍ତୁ କୋଭିଡ୍-୧୯ ମହାମାରୀ କାରଣରୁ ଏଥର ଏହା ସମ୍ଭବ ହୋଇପାରିନି। ମହାମାରୀ ପାଇଁ ସରକାର ଭର୍ଚୁଆଲ ଜାତୀୟ କ୍ରୀଡ଼ା ପୁରସ୍କାର ଉତ୍ସବର ଆୟୋଜନ କରୁଛନ୍ତି। ଅତିକମ୍ରେ ଏହି ପ୍ରୟାସ ପାଇଁ କେତେଜଣ ଆଥଲେଟ ସରକାରଙ୍କୁ ପ୍ରଶଂସା କରିଛନ୍ତି। ପ୍ରଥମଥର ପାଇଁ ଜାତୀୟ କ୍ରୀଡ଼ା ଦିବସରେ ଭର୍ଚୁଆଉ ଉତ୍ସବରେ ଆଥଲେଟ, କୋଚ୍ ଓ କ୍ରୀଡ଼ା ସଂଗଠନଗୁଡିକର ପ୍ରତିନିଧିମାନେ ପୁରସ୍କୃତ ହେବେ। ଶନିବାର ମୋଟ ଉପରେ ୬୫ଜଣଙ୍କୁ ପୁରସ୍କୃତ କରାଯିବ। ରାଷ୍ଟ୍ରପତି ରାମ ନାଥ କୋଭିନ୍ଦ ଭର୍ଚୁଆଲ ଉତ୍ସବରେ ପୁରସ୍କାର ପ୍ରଦାନ କରିବେ ଓ ବିଜେତାମାନେ ଦେଶର ବିଭିନ୍ନ ସାଇ ସେଣ୍ଟରରେ ଉପସ୍ଥିତ ରହି ଏହି ଉତ୍ସବରେ ଅଂଶଗ୍ରହଣ କରିବେ।
ମହିଳା ଟେବୁଲ ଟେନିସ ତାରକା ମନିକା ବାତ୍ରା ଏଥର ଖେଳରତ୍ନ ପୁରସ୍କାର ପାଇବେ। ସେ ମଧ୍ୟ ଏହି ଭର୍ଚୁଆଲ ଉତ୍ସବ ନେଇ ସରକାରଙ୍କୁ ପ୍ରୟାସକୁ ପ୍ରଶଂସା କରିଛନ୍ତି। ଏ ନେଇ ବେଶ୍ ଉତ୍ସାହିତ ଅଛି ବୋଲି ସେ କହିଛନ୍ତି। ସେହିପାରି ଅଜୁର୍ନ ପୁରସ୍କାର ପାଇବା ପାଇ ମନୋନିତ ହୋଇଥିବା ପାରା ଆଥଲେଟ୍ ସନ୍ଦୀପ ଚୌଧୁରୀ ମଧ୍ୟ ଏ ନେଇ ଖୁସି ଜାହିର କରିଛନ୍ତି। ସେହିପରି ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇବାକୁ ମନୋନିତ ହୋଇଥିବା ଜାତୀୟ ଉଶୁ କୋଚ୍ କୁଲଦୀପ୍ ହାଣ୍ଡୁ ମଧ୍ୟ ଏହି ଭର୍ଚୁଆଲ ଉତ୍ସବ ଆୟୋଜନ ନେଇ ସରକାରଙ୍କୁ ପ୍ରଶଂସା କରିଛନ୍ତି।