କୋଭିଡ୍-୧୯ ବା କରୋନା ଭୂତାଣୁ ସଂକ୍ରମଣ ସାମ୍ନାକୁ ଆସିବାର ୫ବର୍ଷ ପରେ ଏବେ ହ୍ୟୁମାନ ମେଟା ନ୍ୟୁମୋ ଭାଇରସ୍ (ଏଚ୍ଏମ୍ପିଭି) ସଂକ୍ରମଣକୁ ନେଇ ନୂଆ ପରିସ୍ଥିତି ସୃଷ୍ଟି ହୋଇଛି। କରୋନା ଭୂତାଣୁ ଭଳି ଏଚ୍ଏମ୍ପିଭି ଦ୍ରୁତ ଗତିରେ ବ୍ୟାପୁଥିବା କୁହାଯାଉଛି। ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେ ଜାନୁଆରୀ ୬ରେ କର୍ନାଟକରେ ୨ଜଣ, ତାମିଲନାଡୁରେ ୨ ଜଣ ଏବଂ ଗୁଜରାଟରେ ଜଣେ ସଂକ୍ରମିତ ହୋଇଛନ୍ତି। କୋଲକାତାରେ ନଭେମ୍ବର ୨୦୨୪ରୁ ଇତିମଧ୍ୟରେ ୩ ଜଣ ସଂକ୍ରମିତ ହୋଇଥିବା ପିୟର୍ଲେସ ହସ୍ପିଟାଲ ପକ୍ଷରୁ କୁହାଯାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ଅସ୍ବୀକାର କରିଛନ୍ତି। ସଂକ୍ରମଣକୁ ନେଇ କର୍ନାଟକ, ମହାରାଷ୍ଟ୍ର ଓ ଦିଲ୍ଲୀରେ ଗାଇଡଲାଇନ ଜାରି କରାଯାଇଛି। ସୂଚନାଯୋଗ୍ୟ ଯେ,ଏହା ଶ୍ୱାସକ୍ରିୟା ସହିତ ଜଡ଼ିତ ଏକ ପ୍ରକାର ଫ୍ଲୁ ଭୂତାଣୁ। ଏହା ଚାଇନାରୁ ସୃଷ୍ଟି ହୋଇଥିବା କୁହାଯାଉଛି। ସେଠାରେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିଚାଲିଥିବା ଖବର ପ୍ରକାଶ ପାଉଥିଲେ ମଧ୍ୟ ଏହାର ଠିକ୍ ସଂଖ୍ୟା ଜଣାପଡ଼ୁନାହିଁ। ବିଶ୍ୱ ସ୍ତରରେ ଏଚ୍ଏମ୍ପିଭି ସଂକ୍ରମଣରେ ଚାଇନା ପଛକୁ ରହିଛି ମାଲେସିଆ। ସେଠାରେ ୨୦୨୪ରେ ୩୨୭ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା । କିନ୍ତୁ କୌଣସି ମୃତ୍ୟୁ ଘଟିବାର ଖବର ମିଳିନାହିଁ। ଉଲ୍ଲେଖନୀୟ ଯେ, ୨୦୧୯ର ଶେଷ ଭାଗରେ ଚାଇନାର ଉହାନରୁ କୋଭିଡ୍ ଭୂତାଣୁ ସୃଷ୍ଟି ହୋଇଥିଲା। ସେଥିରେ ବିଶ୍ୱର ୨୨୬ଟି ଦେଶରେ ୭୦ କୋଟିରୁ ଊର୍ଦ୍ଧ୍ୱ ଲାକ ସଂକ୍ରମିତ ହେବା ସହ ୭୦ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା । ଆମେରିକାରେ ସବୁଠୁ ଅଧିକ ମୃତ୍ୟୁ ଘଟିଥିଲା । ସେଠାରେ ପାଖାପାଖି ୧୨ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଥିଲାବେଳେ ଏହା ପଛକୁ ଥିଲା ଭାରତ। ଭାରତରେ ୫ ଲକ୍ଷ ୩୩ ହଜାରରୁ ଅଧିକ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିଲା। ସେତେବେଳେ କୋଭିଡ-୧୯ ସଂକ୍ରମଣ ପାଇଁ ସେ ସିଧାସଳଖ ଚାଇନାକୁ ଦାୟୀ କରାଯାଇଥିଲେ ମଧ୍ୟ କରୋନା ଭୂତାଣୁ ପ୍ରାଣୀଙ୍କ ଶରୀରରୁ କିମ୍ବା ପରୀକ୍ଷାଗାରରୁ ସୃଷ୍ଟି ହୋଇଛି କି ନାହିଁ ତାହା ଏଯାବତ ପ୍ରମାଣିତ ହୋଇନାହିଁ। ଏଭଳି ଏକ ଦ୍ୱନ୍ଦ୍ୱ ଅସମାହିତ ଥିବାବେଳେ ଏବେ ଏଚ୍ଏମ୍ପିଭିକୁ ନେଇ ଚାଇନା ପୁନର୍ବାର ଚର୍ଚ୍ଚାକୁ ଆସିଛି। କିନ୍ତୁ ଏହି ଫ୍ଲୁ ଭୂତାଣୁ ଭୟଙ୍କର ନୁହେଁ ବୋଲି ଦିଲ୍ଲୀସ୍ଥିତ ଏମ୍ସର ସେଣ୍ଟର ଫର୍ କମ୍ୟୁନିଟି ମେଡିସିନ ପ୍ରାଧ୍ୟାପକ ଡ. ହର୍ଷାଲ ଆର୍ ସାଲ୍ଭେ କହିଛନ୍ତି । ତାଙ୍କ ମତରେ ଏହା ଏକ ନୂଆ ଭାଇରସ୍ ନୁହେଁ। ଉଲ୍ଲେଖଯୋଗ୍ୟ ଯେ, ୨୦୦୧ରେ ନେଦରଲାଣ୍ଡ୍ସର ବୈଜ୍ଞାନିକମାନେ ଏହି ଭାଇରସ୍କୁ ଉଦ୍ଭାବନ କରିଥିଲେ। ଚାଇନାରେ ମଧ୍ୟ ନୋରୋ ଭାଇରସ୍ ବ୍ୟାପୁଛି। ଜାନୁଆରୀ ୬ରେ ଜାହାଜରେ ଯାତ୍ରା କରୁଥିବା ଜଣେ ବ୍ରିଟିଶ ନାଗରିକଙ୍କର ନୋରୋ ଭାଇରସ୍ ସଂକ୍ରମଣ ଯୋଗୁ ମୃତ୍ୟୁ ଘଟିଛି। ଦେଖିବାକୁ ଗଲେ କେବଳ ଏଚ୍ଏମ୍ପିଭି ନୁହେଁ ପୃଥିବୀରେ ଭିନ୍ନ ଭିନ୍ନ ଭୂତାଣୁ ପ୍ରକାଶ ପାଇବାରେ ଲାଗିଛି।
ଅନ୍ୟଦିଗରୁ ଦେଖିଲେ ଏହିସବୁ ନୂତନ ଭାଇରସ୍ର ଭୟାବହତା ବିଷୟରେ ଏବେ କହିବା କଷ୍ଟକର। କାରଣ ମନେହେଉଛି ଯେପରି ପ୍ରବଳ ଆର୍ଥିକ ସମ୍ପୃକ୍ତି ଥିବା ହେତୁ ପୃଥିବୀର ବୃହତ୍ ଫାର୍ମା ଅର୍ଥାତ୍ ଔଷଧ ନିର୍ମାତା ବ୍ୟବସାୟିକ ସଂସ୍ଥାଗୁଡ଼ିକୁ ଏଭଳି ଭୟ ସୃଷ୍ଟିକରି ରଖିବାକୁ ଚାହୁଁଛନ୍ତି। ସେହି ଭୟ ଲାଗିରହିଲେ ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ସବୁ ଦେଶର ସରକାର ପ୍ରବଳ ଅର୍ଥ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ। କରୋନାର ଉଦାହରଣରୁ ଜଣାପଡ଼ିଲା ଯେ ଯେଉଁପ୍ରକାରର ଅର୍ଥ ବିଶ୍ୱବ୍ୟାପୀ ଭ୍ୟାକ୍ସିନ୍ (ଟିକା) ପାଇଁ ଖର୍ଚ୍ଚ କରାଯାଇଥିଲା ତାହାର ଆଖିଦୃଶିଆ ସଫଳତା ଏବେ ମଧ୍ୟ ପ୍ରମାଣିତ ହୋଇନାହିଁ। କରୋନାରେ ମୃତ୍ୟୁବରଣ କରିଥିବା ଅନେକ ଲକ୍ଷ ଲୋକ ଦୁଇଟିଯାକ ଟିକା ପାଇବା ସତ୍ତ୍ୱେ ମଧ୍ୟ ବଞ୍ଚିପାରିଲେ ନାହିଁ। ଏହା ସହିତ ଟିକା ଲଗାଇବାକୁ ମନାକରିଥିବା ନାଗରିକ ମଧ୍ୟ ବଞ୍ଚି ରହିଛନ୍ତି। ସେଥିପାଇଁ ହୁଏତ ଏହିସବୁ ଭାଇରସ୍ର ଖେଳ ପଛରେ ବଡ଼ ଫାର୍ମା ସଂସ୍ଥାଗୁଡ଼ିକର ବ୍ୟବସାୟିକ ମନ୍ଦ ଉଦ୍ଦେଶ୍ୟ ଲୁକ୍କାୟିତ ରହିଛି।