ବିଶାଖାପାଟଣା-ଭବାନୀପାଟଣା ପାସେଞ୍ଜର ଟ୍ରେନ୍‌ ଲାଇନଚ୍ୟୁତ

ରାୟଗଡ଼ା,୧୦।୩ (ଆଶିଷ ରଞ୍ଜନ ପଣ୍ଡା)- ଆନ୍ଧ୍ରପ୍ରଦେଶ କୋତାବାଲସା ରେଳ ଷ୍ଟେଶନ ନିକଟରେ ରବିବାର ସା ପ୍ରାୟ ୭ଟାରେ ଏକ ପାସେଞ୍ଜର ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିଶାଖାପାଟଣା- ଭବାନୀପାଟଣା ପାସେଞ୍ଜର ଟ୍ରେନ୍‌ର ଇଞ୍ଜିନ ସହିତ ୨ଟି ବଗି ଲାଇନଚ୍ୟୁତ ହୋଇଛି। ଦୁର୍ଘଟଣାରେ ଜଣେ ଲୋକୋ ପାଇଲଟ ଆହତ ହୋଇଛନ୍ତି। ଅନ୍ୟ କୋଣସି ଯାତ୍ରୀ ମୃତାହତ ହୋଇ ନ ଥିବା ସୂଚନା ମିଳିଛି।

ବିଶାଖାପାଟଣା-ଭବାନୀପାଟଣା ପାସେଞ୍ଜର ଟ୍ରେନ୍‌ ରବିବାର ସା ୬ଟାରେ ବିଶାଖାପାଟଣା ଛାଡିଥିଲା। କୋତାବାଲସା ଷ୍ଟେଶନରେ ୬ଟା ୪୮ ମିନିଟ୍‌ରେ ପହଞ୍ଚି ଷ୍ଟେଶନ ଛାଡିଥିଲା। ତେବେ ପ୍ଲାଟଫର୍ମରୁ ଦୁଇ ନମ୍ବର ରୁଟ୍‌ରେ ଯିବା ବେଳେ ହଠାତ ଟ୍ରେନ୍‌ ଲାଇନଚ୍ୟୁତ ହୋଇଥିଲା।

ଟ୍ରେନର ଇଞ୍ଜିନ ସହିତ ଆଉ ଦୁଇଟି ଯାତ୍ରୀବାହୀ ବଗିରେଳ ଧାରଣାରୁ ତଳକୁ ଖସିପଡ଼ିଥିଲା। ଖବରପାଇ ବିଜୟନଗରମ୍‌ ଓ ବିଶାଖାପାଟଣା ଷ୍ଟେଶନ ସମେତ ସ୍ଥାନୀୟ ପୋଲିସ ଓ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ବିଶାଖାପାଟଣା ରେଳ ଡିଭିଜନ କାର୍ଯ୍ୟାଳୟଠାରୁ ରିଲିଫ ଟିମ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ କରୁଥିବା ରେଳ ବିଭାଗ ପକ୍ଷରୁ ସୂଚନା ମିଳିଛି। ଦୁର୍ଘଟଣା ଯୋଗୁ ବିଜୟନଗରମ ଓ ବିଶାଖାପାଟଣା ଷ୍ଟେଶନ ମଧ୍ୟରେ ରେଳ ଚଳାଚଳ ପ୍ରଭାବିତ ହୋଇଛି। ଅନେକ ଟ୍ରେନ୍‌ ବିଭିନ୍ନ ସ୍ଥାନରେ ଅଟକି ରହିଛି। ପ୍ରକାଶଥାଉକି, ଗତ ଅକ୍ଟୋବର ୨୯ରେ ଆନ୍ଧ୍ରପ୍ରଦେଶ ରାଜ୍ୟ କଣ୍ଟକାପଲିଠାରେ ଏହି ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ଯୋଗୁ ୧୧ଜଣଙ୍କ ମୃତ୍ୟୁ ଘଟିଥିଲା ।

Share