ସାପକାମୁଡ଼ା ମୃତ୍ୟୁରେ ଭିସେରା ସାମ୍ପଲ ବାଧ୍ୟତାମୂଳକ

ଭୁବନେଶ୍ୱର, ୭।୩(ଅସମାପିକା ସାହୁ)କେନ୍ଦ୍ର ସରକାରଙ୍କ ମେଡିକୋ ଲିଗାଲ ଗାଇଡ୍‌ଲାଇନ୍‌ରେ ସାପ କାମୁଡ଼ା ମାମଲାରେ ପୋଷ୍ଟମର୍ଟମ କରୁଥିବା ମେଡିକାଲ ଅଫିସର ଭିସେରା ସାମ୍ପଲ ସଂଗ୍ରହ କରିବା ବାଧ୍ୟତାମୂଳକ କରାଯାଇଛି। ସେହିଭଳି ଭିସେରା ସାମ୍ପଲ ସଂଗ୍ରହରେ ବିଫଳ ହୋଇଥିଲେ ଆଇପିସିର ଧାରା ୨୦୧ ଅନୁଯାୟୀ ୭ ବର୍ଷ ଯାଏ ଜେଲ ଦଣ୍ଡର ପ୍ରାବଧାନ ରହିଛି। ମାତ୍ର ଅନେକ ସମୟରେ ରାଜ୍ୟର ସମ୍ପୃକ୍ତ ମେଡିକାଲ ଅଫିସରମାନେ ଭିସେରା ସାମ୍ପଲ ରଖୁନାହାନ୍ତି। ପରବର୍ତ୍ତୀ ସମୟରେ କୌଣସି ଅପରାଧ ସାମ୍ନାକୁ ଆସିଲା ବେଳକୁ ଆଉ ପ୍ରମାଣ ନ ଥାଏ। ତେଣୁ ସାପ ବା ବିଷ ପ୍ରୟୋଗ କରି ଅପରାଧ ରୋକିବା ପାଇଁ ପୋଷ୍ଟମର୍ଟମ ବେଳେ ରାଜ୍ୟର ମେଡିକାଲ ଅଫିସରମାନେ ଭିସେରା ସାମ୍ପଲ ସଂଗ୍ରହ କରିବାକୁ ବାଧ୍ୟତାମୂଳକ କରିବା ପାଇଁ ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ବୁଧବାର ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ବିଜୟ କୁମାର ମହାପାତ୍ରଙ୍କୁ ଇମେଲ ଜରିଆରେ ପତ୍ର ଲେଖିଛନ୍ତି। ଗତବର୍ଷ ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ ଜଣେ ବ୍ୟକ୍ତି ନାଗ ସାପ କାମୁଡ଼େଇ ନିଜ ସ୍ତ୍ରୀ ଓ ଝିଅକୁ ହତ୍ୟା କରିଥିଲେ। ଏଭଳି ଏକ ସଙ୍ଗିନ ମାମଲାରେ କିନ୍ତୁ ଭିସେରା ସାମ୍ପଲ ସଂଗ୍ରହ ରଖାଯାଇ ନ ଥିଲା। ଫଳରେ ପ୍ରମାଣ ଅଭାବରୁ ମାମଲା ଦୁର୍ବଳ ହେବାର ସମ୍ଭାବନା ରହିଛି।
ଅନ୍ୟପକ୍ଷରେ ସାପ କାମୁଡ଼ା ମୃତ୍ୟୁ ପାଇଁ ରାଜ୍ୟ ସରକାର ଓସ୍‌ଡମା ମାଧ୍ୟମରେ ମୃତ ବ୍ୟକ୍ତିଙ୍କ ନିକଟତମ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ମଧ୍ୟ ପ୍ରଦାନ କରିଥାଏ। ତେଣୁ ଶୁଭେନ୍ଦୁ ଓସଡମାର ପରିଚାଳନା ନିର୍ଦ୍ଦେଶକ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଏବଂ ରାଜ୍ୟର ସ୍ନେକ ବାଇଟ ନୋଡାଲ ଅଫିସର ଡା. ସୁରଜିତ ଗରାବଡୁଙ୍କୁ ମଧ୍ୟ ଏନେଇ ଅବଗତ କରାଇଛନ୍ତି। ଶୁଭେନ୍ଦୁ କହିଛନ୍ତି, ପୋଷ୍ଟମର୍ଟମ ବେଳେ ଭିସେରା ସାମ୍ପଲ ରଖିବାରେ ଡାକ୍ତର ବିଫଳ ହେଲେ କୋର୍ଟରେ ମାମଲା ଦୁର୍ବଳ ହେଇଯିବାର ଯଥେଷ୍ଟ ସମ୍ଭାବନା ଥାଏ। ତେଣୁ ରାଜ୍ୟ ସରକାର ଭିସେରା ସାମ୍ପଲ ରଖିବା ବାଧ୍ୟ ନ କଲେ ଆଗକୁ ସାପ କାମୁଡେଇ ହତ୍ୟା କରି ୪ ଲକ୍ଷ ଟଙ୍କା ହାତେଇବା ପାଇଁ ପ୍ରତିଦ୍ୱନ୍ଦିତା ଲାଗିଯିବାର ସମ୍ଭାବନା ରହିଛି। ରାଜ୍ୟ ଫୋରେନସିକ ଲାବୋରେଟୋରିରେ ସାପକାମୁଡ଼ା ମୃତ୍ୟୁ ମାମଲାର ଭିସେରା ସାମ୍ପଲର ଆବଶ୍ୟକ ପରୀକ୍ଷା ନିରୀକ୍ଷା ସୁନିଶ୍ଚିତ କରିବା ପାଇଁ ମଧ୍ୟ ଶୁଭେନ୍ଦୁ ସେହି ପତ୍ରରେ ଅନୁରୋଧ କରିଛନ୍ତି।

Share