ଅଜୟଙ୍କୁ ଶ୍ରେଷ୍ଠ ଅଭିନେତା, ବିଶାଲଙ୍କୁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ପୁରସ୍କାର

ମୁମ୍ବାଇ: ରାଷ୍ଟ୍ରପତି ଭବନରେ ଶୁକ୍ରବାର ଚଳିତବର୍ଷର ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ବଲିଉଡ୍‌ ଫିଲ୍ମ ‘ତାନହା ଜୀ: ଦ ଅନ୍‌ସଙ୍ଗ ଓ୍ବାରିୟର୍‌’ ପାଇଁ ଅଜୟ ଦେବଗନ୍‌ ଓ ସାଉଥ୍‌ ଫିଲ୍ମ ‘ସୂରାରି ପୋତ୍ତ୍ରୁ’ ପାଇଁ ସୂୟ୍ୟାଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ। ଖ୍ୟାତନାମା ଅଭିନେତ୍ରୀ ଆଶା ପାରେଖଙ୍କୁ ଦାଦା ସାହେବ ଫାଲ୍‌କେ ପୁରସ୍କାର ଦ୍ୱାରା ପୁରସ୍କୃତ କରାଯାଇଛି। ଏ ଅବସରରେ ଆଶା କହିଛନ୍ତି, ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଥିବାରୁ ମୁଁ ବେଶ୍‌ ଉତ୍ସାହିତ। ୮୦ତମ ଜନ୍ମ ଦିନର ଗୋଟିଏ ଦିନ ପୂର୍ବରୁ ଦାଦା ସାହେବ୍‌ ଫାଲ୍‌କେ ପୁରସ୍କାର ମୋ ପାଇଁ ବିରାଟ ଉପହାର ବୋଲି ସେ କହିଛନ୍ତି। ବଲିଉଡ୍‌ର ହିଟ୍‌ ଗର୍ଲ ଭାବେ ଜଣାଯାଉଥିବା ଆଶା ନିଜ ଫିଲ୍ମି କ୍ୟାରିୟର୍‌ରେ ଶତାଧିକ ଫିଲ୍ମରେ କାମ କରିଛନ୍ତି। ତାଙ୍କର ଅଧିକାଂଶ ଫିଲ୍ମ ଦର୍ଶକଙ୍କୁ ପସନ୍ଦ ଆସିଥିବା ବେଳେ ବକ୍ସ ଅଫିସ୍‌ରେ ହିଟ୍‌ ସାବ୍ୟସ୍ତ ହୋଇଛି। ସୂରାରାଇ ପୋତ୍ତ୍ରୁ ଚଳଚ୍ଚିତ୍ରକୁ ବେଷ୍ଟ ଫିଚର ଫିଲ୍ମ କାଟାଗୋରିରେ ସମ୍ମାନୀତ କରାଯାଇଛି। ସେହିପରି ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅପର୍ଣ୍ଣା ବାଲାମୂରଲିଙ୍କୁ ଚଳିତ ବର୍ଷର ବେଷ୍ଟ ଆକ୍ଟ୍ରେସ୍‌ ପୁରସ୍କାର ପ୍ରଦାନ କରାଯାଇଛି। ‘ଆୟାପ୍ପାନମ କୋଶିୟୁମ’ ସଙ୍ଗୀତ ପାଇଁ ଗାୟିକା ନାନ୍‌ଚ୍ଚମ୍ମାଙ୍କୁ ବେଷ୍ଟ ପ୍ଲେବ୍ୟାକ୍‌ ସିଙ୍ଗର ଫିମେଲ ଓ ମରାଠୀ ଫିଲ୍ମ ‘ଆଇ ଆମ୍‌ ବସନ୍ତରାଓ’ ପାଇଁ ରାହୁଲ ଦେଶପାଣ୍ଡେଙ୍କୁ ପୁରୁଷ ଶ୍ରେଣୀରେ ଶ୍ରେଷ୍ଠ ଗାୟକ ସମ୍ମାନ ପ୍ରଦାନ କରାଯାଇଛି। ସେହିପରି ପ୍ରସିଦ୍ଧ ସଂଗୀତ ରଚନା ତଥା ନିର୍ଦ୍ଦେଶକ ବିଶାଲ ଭରଦ୍ୱାଜଙ୍କୁ ରାଷ୍ଟ୍ରପତି ଡକ୍ୟୁମେଣ୍ଟାରି ୧୨୩୨ କିଲୋମିଟରର ଗୀତ ‘ମାରେଙ୍ଗେ ତ ଓ୍ବହିଁ ଜାକର’ ପାଇଁ ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ଭାବେ ପୁରସ୍କୃତ କରିଛନ୍ତି। ସୂଚନାଯୋଗ୍ୟ, ଜୁଲାଇ ୨୨ରେ ଏହି ପୁରସ୍କାର ଘୋଷଣା କରାଯାଇଥିବା ବେଳେ ସେପ୍ଟେମ୍ବର ୩୦ ଅର୍ଥାତ୍‌ ଶୁକ୍ରବାର ବିଜେତାମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏହାପୂର୍ବରୁ ୧୯୯୮ରେ ଅଜୟ ଦେବଗନଙ୍କୁ ଫିଲ୍ମ ‘ଜଖମ’ ଏବଂ ‘ଦି ଲିଜେଣ୍ଡ ଅଫ୍‌ ଭାଗବତ ସିଂ’ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା।

Share