ପୌରାଧ୍ୟକ୍ଷା ପଦ ହରାଇବା ପରେ ବିଷ୍ଣୁ ପ୍ରଧାନଙ୍କୁ ମିଳିଲା ଭାରପ୍ରାପ୍ତ ଅଧ୍ୟକ୍ଷ ଦାୟିତ୍ୱ

ଭବାନୀପାଟଣା,୨୬ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ପୌରପାଳିକା ଅଧ୍ୟକ୍ଷା ସଂଯୁକ୍ତା ବେହେରା ନିଜ ପଦ ହରାଇବା ନେଇ ଗୁରୁବାର ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତେବେ ଓଡ଼ିଶା ମ୍ୟୁନିସିପାଲ ମାନୁଆଲ ଆକ୍ଟ ୮୯ (କ) ଅନୁଯାୟୀ, ଶୁକ୍ରବାର କଳାହାଣ୍ଡି ଜିଲାପାଳଙ୍କ ପତ୍ର ସଂଖ୍ୟା ୨୨୩୮ ଅନୁଯାୟୀ ଭବାନୀପାଟଣା ପୌରପାଳିକାର ଉପାଧ୍ୟକ୍ଷ ବିଷ୍ଣୁ ପ୍ରଧାନଙ୍କୁ ସ୍ଥାନୀୟ ପୌରପାଳିକାର ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ନୂଆ ଅଧ୍ୟକ୍ଷ ନିର୍ବାଚିତ ନ ହେବା ଯାଏ ସେ ଭାରପ୍ତାପ୍ତ ଅଧ୍ୟକ୍ଷ ଦାୟିତ୍ୱ ତୁଲାଇବେ ବୋଲି ଜଣାପଡ଼ିଛି।
ପ୍ରକାଶ ଯେ,ଗତ ଅଗଷ୍ଟ ୧୨ ତାରିଖରେ ଭବାନୀପାଟଣା ପୌରପାଳିକାର ପୌରାଧ୍ୟକ୍ଷା ଥିବା ସଂଯୁକ୍ତା ବେହେରାଙ୍କ ବିପକ୍ଷରେ ଅନାସ୍ଥା ଭୋଟ୍‌ ଗ୍ରହଣ ହୋଇଥିଲା। ଏଥିରେ ୨୦ଟି ଓ୍ବାର୍ଡର ସମସ୍ତ କାଉନସିଲର ପୋରାଧ୍ୟକ୍ଷା ବେହେରାଙ୍କ ବିପକ୍ଷରେ ଭୋଟ୍‌ ଦେଇଥିଲେ। ଏପରିକି ପୌରାଧ୍ୟକ୍ଷା ବେହେରା ବିଜେଡିର ହୋଇଥିବାବେଳେ ନିଜ ଦଳର କାଉନସିଲରମାନେ ତାଙ୍କ ବିପକ୍ଷରେ ଭୋଟ୍‌ ଦେବା ନେଇ ଜିଲାରେ ଚର୍ଚ୍ଚାରେ ବିଷୟ ହୋଇଥିଲା।

Share