ଅସାଧାରଣ ପ୍ରତିଭାର ଅଧିକାରୀ ଥିଲେ ବିଷ୍ଣୁ ସେଠୀ: ମୁଖ୍ୟମନ୍ତ୍ରୀ

ତିହିଡ଼ି,୧୯ା୯: ପୂର୍ବତନ ବିଧାୟକ ବିଷ୍ଣୁ ସେଠୀ ଅସାଧାରଣ ପ୍ରତିଭାର ଅଧିକାରୀ ଥିଲେ। ତାଙ୍କ ଉଦ୍ୟମରେ କାନ୍ତକବିଙ୍କ ଲିଖିତ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ରାଜ୍ୟ ସଙ୍ଗୀତର ମାନ୍ୟତା ପାଇଥିଲା। ଏହାଛଡ଼ା ମୋଗଲ ତାମସାକୁ ଲୋକଲୋଚନକୁ ଆଣିବାରେ ତାଙ୍କ ଅବଦାନ ଅବିସ୍ମରଣୀୟ ଥିଲା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭଦ୍ରକ ଜିଲା ତିହିଡ଼ି କାଳୀପଡ଼ିଆରେ ବିଷ୍ଣ ସେଠୀ ସ୍ମୃତି ସଂସଦ ପକ୍ଷରୁ ଗୁରୁବାର ଅନୁଷ୍ଠିତ ପୂର୍ବତନ ବିଧାୟକ ବିଷ୍ଣୁ ସେଠୀଙ୍କ ୨ୟ ବାର୍ଷିକ ଶ୍ରାଦ୍ଧ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମାଝୀ ଏହା କହିବା ସହ ରାଜ୍ୟରେ ଭାଜପା ସଙ୍ଗଠନକୁ ସୁଦୃଢ କରିବାରେ ତାଙ୍କ ଅବଦାନ ଅବିସ୍ମରଣୀୟ ଥଲା ବୋଲି ମତବ୍ୟକ୍ତ କରିଥିଲେ। ବରେଣ୍ୟ ଅତିଥି ଭାବେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ, ଜଙ୍ଗଲ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ରାଜ୍ୟସଭା ଏମ୍‌ପି ବିଜୟ ପାଲ ସିଂ ତୋମାର ପ୍ରମୁଖ ଏଥିରେ ଯୋଗଦେଇ ପୂର୍ବତନ ବିଧାୟକ ସେଠୀଙ୍କ ସ୍ମୃତିଚାରଣ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ। ଏହି ଅବସରରେ ସ୍ବର୍ଗତ ସେଠୀଙ୍କ ରଚିତ କବିତା ସଂକଳନ ନଈ ପାଣି ନଈକି ଯା’ ଓ ସାହିତି୍ୟକୟକ ଦୈତାରୀ ମହାପାତ୍ର ଓ ନାଟ୍ୟକାର ନିର୍ମଳ ରାଉତଙ୍କ ସମ୍ପାଦିତ ପୁସ୍ତକ ‘କବିତାରେ କବିତାରେ ବିଷ୍ଣୁ ସେଠୀ’ ଅତିଥିମାନେ ଉନ୍ମୋଚନ କରିଥିଲେ। ପୁସ୍ତକ ଉନ୍ମୋଚନ ବେଳେ ସ୍ବର୍ଗତ ସେଠୀଙ୍କ ସ୍ତ୍ରୀ ଉର୍ମିଳା ପାଣିଗ୍ରାହୀ ଉପସ୍ଥିତ ଥିଲେ। ଅଧ୍ୟାପକ ମୃତ୍ୟୁଞ୍ଜୟ ରଥଙ୍କ ସଞ୍ଚାଳନାରେ ଅନୁଷ୍ଠିତ ଉତ୍ସବରେ ଏମପି ଅଭିମନ୍ୟୁ ସେଠୀ ସ୍ବାଗତ ଭାଷଣ ଓ ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ସେବାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଧନ୍ୟବାଦ ଦେଇଥିଲେ। ଏହି ଉତ୍ସବରେ ବିଭିନ୍ନ ବିଧାନସଭା ମଣ୍ତଳୀର ବିଧାୟକଙ୍କ ସମେତ ସାହିତି୍ୟକ ଓ ବରିଷ୍ଠ ରାଜନୈତିକ ନେତାମାନେ ଯୋଗ ଦେଇଥିଲେ।