୫-ଟି ଆଇଟି ଉପଦେଷ୍ଟାଙ୍କ ସ୍କୁଲ ଓ ମୋ’ ସେବା କେନ୍ଦ୍ର ପରିଦର୍ଶନ

ପାଟଣା,୧୦ା୮(ବୀରକିଶୋର ଦାଶ): ଓଡ଼ିଶା ସରକାର ଆଇଟି ଡିପାର୍ଟମେଣ୍ଟର ଉପଦେଷ୍ଟା ଅନୁଭବ ପଟ୍ଟନାୟକ କେନ୍ଦୁଝର ଜିଲା ପାଟଣା ଓ ସାହାରପଡ଼ା ବ୍ଲକର ବିଭିନ୍ନ ୫ -ଟି ହାଇସ୍କୁଲ ସହ ମୋ ସେବାକେନ୍ଦ୍ର ପରିଦର୍ଶନ କରିଛନ୍ତି। ପାଟଣା ବ୍ଲକ ମୁଖ୍ୟାଳୟ ଗୋପୀନାଥ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ଶେଣୀଗୃହରେ ଛାତ୍ରୀଛାତ୍ରଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ଥିଲେ। ଛାତ୍ରୀଛାତ୍ରଙ୍କ ଉତ୍ତରରେ ସେ ସନ୍ତୁଷ୍ଟ ପ୍ରକାଶ କରିଥିଲେ। ସେ ତାଙ୍କ ପ୍ରକ୍ରିୟାରେ କହିଛନ୍ତି ମୋ’ ସେବା କେନ୍ଦ୍ର ଜରିଆରେ ଲୋକମାନେ ଅଫିସକୁ ନ ଆସି ଗାଁରେ କିଭଳି ସରକାରୀ କାର୍ଯ୍ୟ କରିପାରିବେ ସେନେଇ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରତ୍ୟେକ ଜିଲା ଓ ବ୍ଲକରେ ଆଇଟି କ୍ଷେତ୍ରରେ ନିଆଯାଇଥିବା ଇନ୍‌ସେଟିଭ୍‌କୁ ଆହୁରି କିଭଳି ଭଲ କରିହେବ ସେନେଇ ସରକାରଙ୍କୁ ତଥ୍ୟ ଦିଆଯିବ। ତାଙ୍କ ସହ ଜିଲା ଇ-ଗଭର୍ଣ୍ଣମେଣ୍ଟ ମ୍ୟାନେଜର ଭାଲେଣ୍ଟିନା ପୋଥାଳ, ଜିଲା ପରିଚାଳକ ମୋ’ ସେବା କେନ୍ଦ୍ରର ହିମାଂଶୁ ଶେଖର ସେଠୀ, ପାଟଣା ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକ, ପାଟଣା ବିଡିଓ ଶିବଶଙ୍କର ମୁର୍ମୁ, ବଡ଼ପାଟଣା ସମିତିସଭ୍ୟ ମୋହନ ସୁନ୍ଦର ମହାନ୍ତ, ଜି ଏନ୍‌ ହାଇସ୍କୁଲ ପ୍ରଧାନଶିକ୍ଷକ ପ୍ରତାପ ଚନ୍ଦ୍ର ମହାନ୍ତ, ବ୍ଲକ ସହକାରୀ ଯନ୍ତ୍ରୀ ସିଦ୍ଧ ମାଝି, ଯନ୍ତ୍ରୀ ଲାଖାଇ ମୁର୍ମୁ ,ଜିଲା ବିଜେଡି ସମ୍ପାଦକ ପ୍ରଶାନ୍ତ ଭଞ୍ଜ ପ୍ରମୁଖ ଉପସ୍ଥିତ ଥିଲେ। ଏଥିପୂର୍ବରୁ ସେ ପାଟଣା ବ୍ଲକ କେନ୍ଦେଇପଶି ସରକାରୀ ଉଚ୍ଚ ବିଦ୍ୟାଳୟ, ସାହାରପଡ଼ା ବ୍ଲକ ଉଦୟପୁର ସରକାରୀ ଉଚ୍ଚବିଦ୍ୟାଳୟ, ବିଲା ରାମଚନ୍ଦ୍ରପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରମୁଖ ପରିଦର୍ଶନ କରିଛନ୍ତି। ସାହାରପଡ଼ା ବ୍ଲକରେ ତାଙ୍କ ସହ ବିଡିଓ ବିଜୟ କୁମାର ନାୟକ, ବିଇଓ ଉତ୍ତମ କୁମାର ନାଏକ, ଏବିଓ ଦୟାନିଧି ପାତ୍ର ପ୍ରମୁଖ ସାମିଲ ଥିଲେ।