୫-ଟି ସଚିବଙ୍କ ଆନନ୍ଦପୁର ବ୍ୟାରେଜ ପରିଦର୍ଶନ

ଆନନ୍ଦପୁର,୧୧ା୬(ସ୍ବ.ପ୍ର.): ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ ରବିବାର ଆନନ୍ଦପୁର ବ୍ୟାରେଜ ଅଞ୍ଚଳ ପରିଦର୍ଶନ କରି ଫେରିଛନ୍ତି। ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଢେଙ୍କରେ କାର୍ଯ୍ୟକ୍ରମ ଶେଷ ପରେ ଅପରାହ୍ନ ୩ଟାରେ ଆନନ୍ଦପୁର ବିଏନ୍‌ହାଇସ୍କୁଲ ପଡ଼ିଆରେ ହେଲିକପ୍ଟର ଯୋଗେ ଆସି ଅବତରଣ କରିଥିଲେ। ସ୍ବଳ୍ପ ସମୟ ଗସ୍ତ କାର୍ଯ୍ୟକ୍ରମରେ ବ୍ୟାରେଜର ବାମପାର୍ଶ୍ୱ କେନାଲ କେବେ କାର୍ଯ୍ୟକ୍ଷମ ହେବ ସ୍ପଷ୍ଟ ସୂଚନା ମିଳିପାରିନି। ତେବେ ବ୍ୟାରେଜ ଡିଭିଜନ୍‌ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କଠାରୁ ଏହା ଦ୍ୱାରା ଉପକୃତ ହେବାକୁ ଥିବା ଚାଷଜମି ଓ ବିଭିନ୍ନ ପାରିପାର୍ଶ୍ୱିକ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ପରେ ବାମପାର୍ଶ୍ୱ କେନାଲର ପଦ୍ମପୁର ପର୍ଯ୍ୟନ୍ତ ଗସ୍ତ କରି ନିର୍ମାଣ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିଛନ୍ତି। ୫-ଟି ସଚିବ ୧୦ ଓ ୧୧ ତାରିଖ ଦୁଇ ଦିନିଆ କେନ୍ଦୁଝର ଗସ୍ତ କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ଆନନ୍ଦପୁରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ଅସହ୍ୟ ତାତି ଏବଂ ସଭାର ଆୟୋଜନ ନ ଥିବାରୁ ଲୋକଙ୍କ ଉପସ୍ଥିତ ଅପେକ୍ଷାକୃତ ଭାବେ କମ୍‌ ରହିଥିଲା।
ସୂଚନାଯୋଗ୍ୟ, ୨୦୨୦ ଜାନୁୟାରୀ ୩୧ରେ ଆନନ୍ଦପୁର ବ୍ୟାରେଜ ଲୋକାର୍ପିତ ହୋଇଥିବା ସତ୍ତ୍ୱେ ଅଦ୍ୟାବଧି ବାମପାର୍ଶ୍ୱ ଓ ଡାହାଣପାର୍ଶ୍ୱ କେନାଲର ନିର୍ମାଣ କାର୍ଯ୍ୟ ସରିନାହିଁ। ବାମପାର୍ଶ୍ୱ କେନାଲର କାର୍ଯ୍ୟକୁ ଶେଷ କରାଯାଇ ଜୁନ୍‌ ସୁଦ୍ଧା କାର୍ଯ୍ୟକ୍ଷମ କରାଯିବାକୁ ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସେମାନଙ୍କର ଆନନ୍ଦପୁର ଗସ୍ତ ସମୟରେ ଗଣମାଧ୍ୟମ ନିକଟରେ ପ୍ରକାଶ କରିଥିଲେ। ତେବେ ଜୁନ୍‌ ଦ୍ୱିତୀୟ ସପ୍ତାହରେ ପହଞ୍ଚିଥିବା ବେଳେ ନିର୍ଦ୍ଧାରିତ ସମୟରେ ବାମପାର୍ଶ୍ୱ କେନାଲ କାର୍ଯ୍ୟକ୍ଷମ ହୋଇପାରିବ କି ନାହିଁ ସେ ସମ୍ପର୍କିତ ସଠିକ୍‌ ସୂଚନା ଅଦ୍ୟାବଧି ଜଣାପଡ଼ିନି।