ଆସନ୍ତା ୨୯ରୁ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାରରେ ଦର୍ଶନ

ପୁରୀ ଅଫିସ,୨୨।୪: ଆସନ୍ତା ୨୯ ତାରିଖରୁ ପଶ୍ଚିମଦ୍ୱାର ଦେଇ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ। ଉତ୍ତରଦ୍ୱାର ଓ ଦକ୍ଷିଣଦ୍ୱାର ପଟେ ପ୍ରସ୍ଥାନର ବ୍ୟବସ୍ଥା ରହିବ। ସେହିପରି ଚଳିତବର୍ଷ ଚନ୍ଦନଯାତ୍ରାରେ ଶ୍ରଦ୍ଧାଳୁ ସାମିଲ ହୋଇପାରିବେ। ଶୁକ୍ରବାର ନୀଳାଦ୍ରି ଭକ୍ତନିବାସରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ ସୂଚନା ଦେଇ କହିଛନ୍ତି, ଏପର୍ଯ୍ୟନ୍ତ କେବଳ ପୁରୀ ସହରବାସୀଙ୍କୁ ପଶ୍ଚିମଦ୍ୱାର ଦେଇ ଦର୍ଶନ ଅନୁମତି ଥିବାବେଳେ ୨୯ ତାରିଖରୁ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ। ଆଗଭଳି ଉତ୍ତରଦ୍ୱାର ଓ ଦକ୍ଷିଣଦ୍ୱାର ଦେଇ ପ୍ରସ୍ଥାନ ବ୍ୟବସ୍ଥା ରହିବ। ଉତ୍ତର ଓ ଦକ୍ଷିଣଦ୍ୱାର ବାହାରେ ଜୋତାଷ୍ଟାଣ୍ଡ କରାଯିବ। ଅନ୍ୟପକ୍ଷରେ ଚାରିଦ୍ୱାର ଦେଇ ଦର୍ଶନ ଅନୁମତି ମିଳି ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

Share