Categories: ଜାତୀୟ

ବିମାନରୁ ଓହ୍ଲାଇବାକୁ ଅଧଘଣ୍ଟା ଅପେକ୍ଷା କଲେ ଦୃଷ୍ଟିହୀନ ମହିଳା: ଅଭିଯୋଗ ପରେ କ୍ଷମା ମାଗିଲେ ବିମାନ କର୍ତ୍ତୃପକ୍ଷ

ବିମାନରୁ ଓହ୍ଲାଇବାକୁ ଅଧଘଣ୍ଟା ଅପେକ୍ଷା କଲେ ଦୃଷ୍ଟିହୀନ ମହିଳା: ଅଭିଯୋଗ ପରେ କ୍ଷମା ମାଗିଲେ ବିମାନ କର୍ତ୍ତୃପକ୍ଷ
ନୂଆଦିଲ୍ଲୀ,୪।୯: ଭିସ୍ତାରା ଏୟାରଲାଇନ୍ସ ଜଣେ ଦୃଷ୍ଟିହୀନ ମହିଳା ଯାତ୍ରୀଙ୍କୁ ଅବହେଳା ଘଟଣାରେ ଦୁଃଖ ପ୍ରକାଶ କରିଛି। ଗତ ସପ୍ତାହରେ ମହିଳା ଜଣଙ୍କୁ କୋଲକାତା ବିମାନବନ୍ଦରରେ ବିମାନରୁ ଓହ୍ଲାଇବାକୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡିଥିଲା। ସମ୍ପୃକ୍ତ ମହିଳା ଯାତ୍ରୀଙ୍କ ପୁଅ ଅଗଷ୍ଟ ୩୧ରେ ଦିଲ୍ଲୀ-କୋଲକାତା ବିମାନରେ ଘଟିଥିବା ଘଟଣା ସମ୍ପର୍କରେ ସୋସିଆଲ ମିଡିଆରେ ସୂଚନା ଦେଇଥିଲା।
ଏକ କ୍ଷୁଦ୍ର ଭିଡିଓରେ ମହିଳା ଯାତ୍ରୀଙ୍କ ପୁଅ ଆୟୁଷ କେଜ୍‌ରିୱାଲ କହିଛନ୍ତି ଯେ, ତାଙ୍କ ମା’ ଦୃଷ୍ଟିହୀନ ଏବଂ ତାଙ୍କୁ ଏକ ହ୍‌ିଲ ଚେୟାର୍‌ରେ ଓହ୍ଲାଇବାର ଥିଲା। ବିମାନଟି କୋଲକାତାରେ ଅବତରଣ କଲା ପରେ ସମସ୍ତେ ଓହ୍ଲାଇଥିଲେ। କିନ୍ତୁ ମା’ଙ୍କୁ ଅପେକ୍ଷା କରିବାକୁ ପଡିଥିଲା। ବିମାନରୁ ଓହ୍ଲାଇବାରେ ତାଙ୍କୁ ସହଯୋଗ କରିବାକୁ ସେ କର୍ମଚାରୀଙ୍କୁ ଅନୁରୋଧ କରିଥିଲେ। ଏହା ଶୁଣି କିଛି ସମୟ ଅପେକ୍ଷା କରିବାକୁ କର୍ମଚାରୀମାନେ ତାଙ୍କୁ କହିଥିଲେ। କିନ୍ତୁ ଅଧଘଣ୍ଟା ପର୍ଯ୍ୟନ୍ତ ସେ ବିମାନରେ ଏକା ବସି ରହିଥିଲେ। ବିମାନଟି ଆଣ୍ଡାମାନ ନିକୋବର ଯିବାକୁ ପ୍ରସ୍ତୁତ ହେଉଥିବା ସେ ଜାଣିବାକୁ ପାଇଥିଲେ। ବ୍ୟତିବ୍ୟସ୍ତ ହୋଇ ସେ ବିମାନର ଆଲାରାମ ମାରିଥିଲେ। ଏହାପରେ କର୍ମଚାରୀ ପହଞ୍ଚି ତାଙ୍କୁ ବିମାନ ବାହାରକୁ ଆଣିଥିଲେ।
ଏହା ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଭିସ୍ତାରା ଏୟାରଲାଇନ୍ସ କିପରି ମୋର ଦୃଷ୍ଟିହୀନ ମା’ଙ୍କୁ ବିପଦରେ ପକାଇପାରିଲେ ବୋଲି ସମ୍ପୃକ୍ତ ମହିଳାଙ୍କୁ ପୁଅ ବିମାନ କର୍ତ୍ତୃପକ୍ଷଙ୍କୁ ପ୍ରଶ୍ନ କରିଥିଲେ। ଏହାର ଜବାବରେ ଭିସ୍ତାରା ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଆମେ ଏଥିପାଇଁ ଗଭୀର ଦୁଃଖିତ। ଆମେ ସର୍ବଦା ଯାତ୍ରୀମାନଙ୍କୁ ସର୍ବୋକୃଷ୍ଟ ସେବା ଦେବାକୁ ପ୍ରସ୍ତୁତ ଥାଉ। କିନ୍ତୁ ଏପରି ତ୍ରୁଟି ପାଇଁ ଆମେ କ୍ଷମା ମାଗୁଛୁ।

Share