ଘରେ ରହି ଅନ୍‌ଲାଇନ୍‌ରେ ପଢ଼ାଇବେ ଦୃଷ୍ଟିବାଧିତ ଅଧ୍ୟାପକ

ଭୁବନେଶ୍ୱର, ୨୫।୮(ବ୍ୟୁରୋ):  ୟୁଜି ଓ ପିଜି ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ ପାଇଁ ନୂଆ ଗାଇଡ୍‌ଲାଇନ୍‌ ଆସିଛି। ମହାମାରୀ କରୋନା କଟକଣା ସମୟରେ ଦୃଷ୍ଟିବାଧିତ ଅଧ୍ୟାପକଙ୍କୁ ଆଉ କଲେଜ ଆସିବାକୁ କୌଣସି ଆବଶ୍ୟକତା ନାହିଁ। ସେମାନେ ଏଣିକି ଘରେ ରହି ଅନ୍‌ଲାଇନ୍‌ରେ ପାଠ ପଢ଼ାଇପାରିବେ। ଏନେଇ ସୋମବାର ଉଚ୍ଚ ଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ର ରାଜ୍ୟର ସମସ୍ତ ଡିଗ୍ରୀ କଲେଜ ଅଧ୍ୟକ୍ଷମାନଙ୍କୁ ଚିଠି ଲେଖି ଜଣାଇଛନ୍ତି। କରୋନା କଟକଣା ଯୋଗୁ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଏ ପରିସ୍ଥିତିରେ ଛାତ୍ରୀଛାତ୍ରଙ୍କୁ ସ୍କୁଲ ଓ କଲେଜ ଆସିବାକୁ ବାରଣ କରାଯାଇ ଅନ୍‌ଲାଇନ୍‌ ପାଠପଢ଼ା ବ୍ୟବସ୍ଥା କରାଯାଇଛି। ସେପଟେ ୟୁଜି ଓ ପିଜି ଶେଷ ସେମିଷ୍ଟର ପରୀକ୍ଷା ନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି ଯେ, ସୁପ୍ରିମକୋର୍ଟରେ ଶୁଣାଣି ସରିଛି। ସମସ୍ତ ରାଜ୍ୟ ସରକାର ଲିଖିତ ଆକାରରେ ଦେବା ପାଇଁ ସୁପ୍ରିମକୋର୍ଟ ତିନିଦିନ ସମୟ ଦେଇଥିଲେ। ଆମେ ଆମର ପକ୍ଷ ରଖିଛୁ। ବିକଳ୍ପ ବ୍ୟବସ୍ଥାରେ ମୂଲ୍ୟାୟନ କରିବାକୁ ରାଜ୍ୟ ସରକାର ପୂର୍ବରୁ ଯେଉଁ ନିଷ୍ପତ୍ତି ନେଇଥିଲେ, ସେନେଇ ସୁପ୍ରିମକୋର୍ଟରେ ପକ୍ଷ ରଖିଛୁ। ସୁପ୍ରିମକୋର୍ଟ ଯାହା ନିର୍ଦ୍ଦେଶ ଦେବେ ତାକୁ ଆମେ ମାନିବୁ ବୋଲି ମନ୍ତ୍ରୀ ସାହୁ କହିଛନ୍ତି।

Share