ଭିଟାମିନ୍ ‘ସି’ରେ ଅନେକ ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। କେତେକ ବ୍ୟାୟାମ କରିବା ସମୟରେ ଶ୍ୱାସକ୍ରିୟାଜନିତ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି। ହେଲେ ଯଦି ଜଣେ ବ୍ୟକ୍ତି ନିୟମିତ ଭିଟାମିନ୍ ‘ସି’ଯୁକ୍ତ ଖାଦ୍ୟ ଖାଆନ୍ତି ତେବେ ସେ ଏପରି ସମସ୍ୟାଠାରୁ ନିଜକୁ ଅନେକାଂଶରେ ଦୂରେଇ ରଖିଥାଆନ୍ତି। ପରୀକ୍ଷାସ୍ବରୂପ ଏଭଳି ସମସ୍ୟାର ସମ୍ମୁଖୀନ ହେଉଥିବା କେତେକ ବ୍ୟକ୍ତିଙ୍କୁ ସେମାନଙ୍କର ଦୈନନ୍ଦିନ ଖାଦ୍ୟ ତାଲିକାରେ ଭିଟାମିନ୍ ‘ସି’ଯୁକ୍ତ ଖାଦ୍ୟ ସାମିଲ କରିବାକୁ ପରାମର୍ଶ ଦିଆଯାଇଥିଲା । ଏପରି ଖାଦ୍ୟ ଖାଇବା ପରେ ସେମାନେ ବ୍ୟାୟାମ କରିବା ସମୟରେ ପ୍ରାୟ ଶ୍ୱାସକ୍ରିୟାଜନିତ ସମସ୍ୟାର ସାମନା କରି ନ ଥିଲେ ବୋଲି ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି। ଦୀର୍ଘକାଳୀନ ରୋଗ (କ୍ରୋନିକ୍ ଡିଜିଜ୍) ପାଇଁ ଭିଟାମିନ୍ ‘ସି’ ଏକ ଆଣ୍ଟି ଅକ୍ସିଡାଣ୍ଟ ଭଳି କାମ କରିଥାଏ। ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଏହା ମଧ୍ୟ ବେଶ୍ ଉପକାରୀ ସାବ୍ୟସ୍ତ ହୋଇଥାଏ। ହୃତ୍ପିଣ୍ଡକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ଭିଟାମିନ୍ ‘ସି’। ଏହା ସହ ରକ୍ତରେ ୟୁରିକ୍ ଏସିଡ୍ ସ୍ତରକୁ ସନ୍ତୁଳିତ ରଖିଥାଏ। ଆମ ଶରୀରରେ ଆଇରନ୍ ପରିମାଣକୁ ଅନେକାଂଶରେ ମଧ୍ୟ ପୂରଣ କରିଥାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ଏହା ସହାୟକ ହୋଇଥାଏ। ଅମୃତଭଣ୍ଡା, ପିଜୁଳି, ଲେମ୍ବୁ, ବ୍ରକୋଲି, ଲିଚି, ଷ୍ଟ୍ରବେରୀ ଏବଂ କମଳାରେ ଭିଟାମିନ୍ ‘ସି’ ଭରିରହିଛି।