ଚନ୍ଦ୍ରପୁର,୩୦ା୧(ଡି.ଏନ୍.ଏ.):ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ମଙ୍ଗଳ ବିଭାଗର ବିଭିନ୍ନ ସ୍କୁଲରେ ଭିଟାମିନ୍ ଯୁକ୍ତ ଚାଉଳ ମିଳୁ ନ ଥିବା ଅଭିଯୋଗ ହୋଇଛି। ସଦର ସ୍ଥିତ ମଙ୍ଗଳ ବିଭାଗ ସରକାରୀ ହାଇସ୍କୁଲ, ଚନ୍ଦ୍ରପୁର କନ୍ୟାଶ୍ରମ, ନେହେରୁପଙ୍ଗା ସେବାଶ୍ରମ, ବୁଡ଼ିବାଲି ସେବାଶ୍ରମ ବିଦ୍ୟାଳୟରେ ପିଲାଙ୍କୁ ଭିଟାମିନ୍ ଚାଉଳ ଏ ପର୍ଯ୍ୟନ୍ତ ଭିଟାମିନ୍ ଚାଉଳ ମିଳି ନ ଥିବା ଅଭିଭାବକ ମାନେ ପ୍ରକାଶ କରିଛନ୍ତି।
ରାଜ୍ୟ ସରକାର ଜାନୁୟାରୀ ପହିଲାରୁ ସମସ୍ତ ବିଦ୍ୟାଳୟରେ ଯୋଗାଣ ବିଭାଗର ଚାଉଳ ବଦଳରେ ଭିଟାମିନ୍ଯୁକ୍ତ ଚାଉଳ ଦିଆଯିବ ବୋଲି ନିର୍ଦ୍ଦେଶ ଦେଇଥିଲେ। ହେଲେ ଚନ୍ଦ୍ରପୁର ବ୍ଲକରେ ମାସେ ହେଲା ଯୋଗାଣ ବିଭାଗର ଚାଉଳ କିମ୍ବା ଭିଟାମିନ୍ ଚାଉଳ କିଛି ମିଳୁ ନ ଥିବା ଛାତ୍ରୀଛାତ୍ର ମାନେ ମଧ୍ୟ କହିଛନ୍ତି। ଏ ନେଇ ପ୍ରଧାନ ଶିକ୍ଷକ ମାନେ ଚାଉଳ ପାଇଁ ଡ୍ରାଫ୍ଟ କରି ଅପେକ୍ଷାରେ ରହିଛନ୍ତି। ଶିକ୍ଷକମାନେ ମୁନିଗୁଡ଼ା ସ୍ଥିତ ପିଇଜି ଗୋଦାମକୁ ଯାଇ ଖାଲିହାତରେ ଫେରୁଛନ୍ତି ଏବଂ ପିଲାମାନେ ଏଥିରୁ ବଞ୍ଚିତ ରହିଛନ୍ତି। ଅନ୍ୟପକ୍ଷରେ ଶିକ୍ଷକମାନେ ଧାର ଆଣି ଚଳାଇ ପାରିବୁ ନାହିଁ ବୋଲି ପ୍ରକଶ କରିଛନ୍ତି। ଏ ନେଇ ପିଇଜି ଗୋଦାମର କର୍ମଚାରୀ କଣ୍ଟାବାଲା ରମେଶ ପାତ୍ରଙ୍କୁ ପଚାରିବାରୁ ତାଙ୍କ ନିକଟକୁ କୌଣସି ଚିଠି ଆସି ନ ଥିବା କହିଛନ୍ତି। ସେହିପରି ଚନ୍ଦ୍ରପୁର ବ୍ଲକ ଯୋଗାଣ ନିରୀକ୍ଷକ ମାନସ କୁମାର ଜେନାଙ୍କୁ ପଚାରିବାରୁ ଭିଟାମିନ୍ ଯୁକ୍ତ ଚାଉଳ ପ୍ରଦାନ ନିମନ୍ତେ କୌଣସି ଚିଠି ଆସିନାହିଁ ବୋଲି ସେ ମଧ୍ୟ ପ୍ରକାଶ କରିଛନ୍ତି। ତେଣୁ ଜିଲାପାଳ ଏଥିପ୍ରତି ଦୃଷ୍ଟିଦେଇ ପିଲାଙ୍କ ପୋଷଣ ଆବଶ୍ୟକତାକୁ ପୂରଣ କରିବା ନିମନ୍ତେ ଭିଟାମିନ୍ ଚାଉଳ ଯୋଗାଇବାକୁ ଅଭିଭାବକ ମାନେ ଦାବି କରିଛନ୍ତି।