ପଶ୍ଚିମ ଓଡ଼ିଶାରେ ଭିଟାମିନ୍‌ଯୁକ୍ତ ଚାଉଳ ଉତ୍ପାଦନ ପ୍ଲାଣ୍ଟ

ସମ୍ବଲପୁର,୨୨ା୫(ବ୍ୟୁରୋ): ପଶ୍ଚିମ ଓଡ଼ିଶାର ୨ଟି ସ୍ଥାନରେ ଭିଟାମିନ୍‌ଯୁକ୍ତ ଚାଉଳ ଉତ୍ପାଦନ (ଫର୍ଟିଫାଏଡ୍‌ ରାଇସ୍‌ କେର୍‌ନେଲ) ପ୍ଲାଣ୍ଟ ସ୍ଥାପନ ହେବ। ଏହା ରାଜ୍ୟରେ ପ୍ରଥମ। ଏହି ପ୍ଲାଣ୍ଟକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି। ଏ ନେଇ ରାଜ୍ୟ ଯୋଗାଣ ନିଗମ କାର୍ଯ୍ୟାଳୟରୁ ସମ୍ବଲପୁର ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ଚିଠି (ନଂ.୬୯୬୫/ତା୧୩ା୫ା୨୧ରିଖ) କରାଯାଇଛି। ସମ୍ବଲପୁର ମୁଣ୍ଡୋଘାଟରେ ଥିବା ଆଇପି ରାଇସ ଇଣ୍ଡଷ୍ଟ୍ରି ଓ ସୋନପୁର ଜିଲା ଲଳିତା ରାଇସ ମିଲ ପ୍ରାଇଭେଟ ଲିମିଟେଡକୁ ଏହି ପ୍ଲାଣ୍ଟ ସ୍ଥାପନ ପାଇଁ ଅନୁମତି ଦିଆଯାଇଥିବା ଚିଠିରେ ଉଲ୍ଲେଖ ହୋଇଛି।
ରାସାନିୟକ ସାର ବ୍ୟବହାର ହେଉ କି ପରିବେଶ ପରିବର୍ତ୍ତନ କାରଣରୁ ସମ୍ପ୍ରତି ଖାଦ୍ୟ ସାମଗ୍ରୀରେ ଭିଟାମିନ ପରିମାଣ କମିଯାଉଛି। ଉତ୍ପାଦିତ ଫସଲରେ କିଭଳି ଭିଟାମିନ ମିଶ୍ରଣ କରାଯାଇପାରିବ ସେ ନେଇ ସରକାର ଯୋଜନା କରିଛନ୍ତି। ତେଣୁ ରାଜ୍ୟରେ ୨ଟି ପ୍ଲାଣ୍ଟ ପ୍ରଥମ ପର୍ଯ୍ୟାୟରେ ସ୍ଥାପନ କରିବାକୁ ଅନୁମତି ଦେଇଛନ୍ତି। ଏହି ପ୍ଲାଣ୍ଟରେ ଚାଉଳକୁ ଗୁଣ୍ଡ କରି ଦିଆଯିବ। ପରେ ଗୁଣ୍ଡ ଚାଉଳରେ ବିଭିନ୍ନ ଭିଟାମିନ ମିଶ୍ରଣ କରାଯିବ। ଗୋଟିଏ କେଜି ସାଧାରଣ ଚାଉଳରେ ୧୦୦ ଗ୍ରାମ ଭିଟାମିନଯୁକ୍ତ ଚାଉଳ ମିଶ୍ରଣ କରାଯିବ। ଇଟାଲି ଜ୍ଞାନକୌଶଳରେ ପ୍ଲାଣ୍ଟ ନିର୍ମାଣ କରାଯିବ। ପ୍ରାୟ ୪ରୁ ୬ମାସ ଭିତରେ ଏହା କାର୍ଯ୍ୟକ୍ଷମ ହେବାର ଲକ୍ଷ୍ୟ ରହିଛି। ଉକ୍ତ ଚାଉଳକୁ ପ୍ୟାକେଟ କରି ପ୍ରତ୍ୟେକ ମିଲକୁ ଯୋଗାଇ ଦିଆଯିବ। ଏହି ପ୍ରଣାଳୀ ସରକାରଙ୍କ ଦ୍ୱାରା ପରିଚାଳତି ହେବ। ଅନ୍ୟ ମିଲର୍ସମାନେ ଉକ୍ତ ଚାଉଳକୁ ନିଜ ଚାଉଳରେ ମିଶ୍ରଣ କରି ପୁଣି ସରକାରଙ୍କୁ ଯୋଗାଇବେ। ଏ ସମ୍ପର୍କରେ ଜିଲା ଯୋଗାଣ ଅଧିକାରୀ ରାମଚନ୍ଦ୍ର ଟୁଡୁ କହିଛନ୍ତି, ଫର୍ଟିିଫାଏଡ ରାଇସ ବା ଭିଟାମିନ୍‌ଯୁକ୍ତ ଚାଉଳ ଲୋକମାନଙ୍କୁ ଯୋଗାଇଦେବା ସରକାରଙ୍କ ଲକ୍ଷ୍ୟ ରହିଛି। ଏହି ଚାଉଲ ଉତ୍ପାଦନ ପାଇଁ ୟୁନିଟ ବସାଯିବ। ପ୍ରତ୍ୟେକ ରାଇସ ମିଲ ଏକ କୁଇଣ୍ଟାଲ ଚାଉଳରେ ୧ କେଜି ଫର୍ଟିଫାଏଡ ଚାଉଳ ମିଶ୍ରଣ କରିବେ। ସେମାନେ ଏହାକୁ ଖୋଲା ବଜାର ଓ ସରକାରଙ୍କୁ ଯୋଗାଇ ଦେବେ ବାଧ୍ୟତାମୂଳକ। ଏହା ଦ୍ୱାରା ମିଲଗୁଡିକରେ କିମ୍ବା ସରକାରୀ ଗୋଦାମରେ ଭାଙ୍ଗିଯାଉଥିବା ଚାଉଳ ପୁଣି ବ୍ୟବହାରରେ ଆସିବ ବୋଲି ସେ କହିଥିଲେ।

Share