ବିବେକ ରାମସ୍ବାମୀଙ୍କ ଅଭିଯୋଗ

ଓ୍ବାଶିଂଟନ,୬।୧୦: ଆମେରିକାରେ ଆସନ୍ତା ବର୍ଷ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମୟରେ ଏଠାରେ ନିର୍ବାଚନ ପ୍ରଚାର ଜୋରସୋରରେ କରାଯାଉଛି। ଅଭିଯାନ ସହିତ ଜଡିତ ଅନେକ ଖବର କ୍ରମାଗତ ଭାବରେ ସାମ୍ନାକୁ ଆସୁଛି। ବର୍ତ୍ତମାନ ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ବିବେକ ରାମସ୍ବାମୀ ଦୁଇଜଣଙ୍କୁ ତାଙ୍କ ପ୍ରଚାର ଅଭିଯାନ କାରକୁ ଜାଣିଶୁଣି ଧକ୍କା ଦେଇଥିବା ଅଭିଯୋଗ କରିଛନ୍ତି।

ରାମସ୍ବାମୀ କହିଛନ୍ତି ଯେ, ୟୁକ୍ରେନକୁ ସହାୟତା କରିବାକୁ ତାଙ୍କର ଦୃଢ ବିରୋଧ ଯୋଗୁଁ ଦୁଇ ବିକ୍ଷୋଭକାରୀ କ୍ରୋଧିତ ଭାବରେ ଆଇଓଓ୍ବାରେ ତାଙ୍କ ପ୍ରଚାର ଅଭିଯାନ କାରରେ ସେମାନଙ୍କ ଗାଡି ମାଡ କରିଥିଲେ। ତେବେ ଦୁର୍ଘଟଣା ଉଦ୍ଦେଶ୍ୟମୂଳକ ବୋଲି କୌଣସି ପ୍ରମାଣ ନାହିଁ ବୋଲି ପୋଲିସ କହିଛି।
ଗୁରୁବାର ଏହି ଘଟଣା ଘଟିଥିବା କୁହାଯାଉଛି। ଆଇଓଓ୍ବାର ଗ୍ରିନେଲରେ ଏକ ପ୍ରଚାର ଅଭିଯାନ ଇଭେଣ୍ଟରେ ପାର୍କିଂ ହୋଇଥିବା ଏକ ଏସୟୁଭିକୁ ଉଦ୍ଦେଶ୍ୟମୂଳକ ଭାବେ ଏକ ନୀଳ ରଙ୍ଗର ହୋଣ୍ଡା ଦ୍ୱାରା ଧକ୍କା ଦିଆ ଯାଇଥିବା ଅଭିଯୋଗ ହୋଇଛି। ଜଣେ ମହିଳା ହୋଣ୍ଡା କାର ଚଳାଉଥିବା ବେଳେ ଆଉ ଜଣେ ବ୍ୟକ୍ତି ତାଙ୍କ ସହ କାରରେ ବସିଥିଲେ। କୁହାଯାଉଛି ଯେ ଧକ୍କା ହେବା ପରେ ତୁରନ୍ତ ବିକ୍ଷୋଭକାରୀମାନେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ।
ରାମସ୍ବାମୀ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି କହିଛନ୍ତି, ଆଜି ବିରୋଧକାରୀଙ୍କ ସହ ତୀବ୍ର ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ଦୁଇଜଣ ସେମାନଙ୍କ କାରରେ ଆସି ଏସୟୁଭିକୁ ଧକ୍କା ଦେଇଥିଲେ। ଉଭୟଙ୍କୁ ଉତ୍ତରଦାୟୀ କରାଯିବା ଉଚିତ। ସେ ଆହୁରି ମଧ୍ୟ କହିଛନ୍ତି, ଶାନ୍ତିପୂର୍ଣ୍ଣ ଭାବେ ବିରୋଧ କରୁଥିବା ଲୋକମାନେ ଦୁଇଜଣଙ୍କ ଯୋଗୁଁ ହଇରାଣ ହେବା ଉଚିତ୍‌ ନୁହେଁ।

Share