ହାଇକୋର୍ଟର ଦ୍ୱାରସ୍ଥ ହେଲା ‘ଭିଭୋ’

ନୂଆଦିଲ୍ଲୀ,୮।୭: ଇଡି ବିରୋଧରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ‘ଭିଭୋ ଇଣ୍ଡିଆ’। କମ୍ପାନୀର ବ୍ୟାଙ୍କ ଆକାଉଣ୍ଟ ସିଜ କରିବା ପ୍ରତିବାଦରେ ହାଇକୋର୍ଟରେ ଅଭିଯୋଗ କରିଛି ଭିଭୋ। କମ୍ପାନୀ ପକ୍ଷରୁ ମାମଲା ଲଢୁଥିବା ଓକିଲ ସିଦ୍ଧାର୍ଥ ଲୁଥ୍ରା କୋର୍ଟଙ୍କୁ ଜଣାଇଛନ୍ତି, ଭାରତରେ ଭିଭୋର ୯୦୦୦ କର୍ମଚାରୀ ଅଛନ୍ତି। କମ୍ପାନୀର ବକେୟା ଦେୟ ମଧ୍ୟ ରହିଛି । ବ୍ୟାଙ୍କ ଖାତା ଅଚଳ ହୋଇଥିବାରୁ କମ୍ପାନୀ ନିଜ କର୍ମଚାରୀଙ୍କ ଦରମା ଦେଇପାରିବ ନାହିଁ। ଏହା ସହିତ ନିଜର ଅନ୍ୟାନ୍ୟ ସରକାରୀ ଦେୟ ମଧ୍ୟ ଦାଖଲ କରିପାରିବ ନାହିଁ । ତେଣୁ ଏହି କଟକଣା ହଟାଇବାକୁ କମ୍ପାନୀ ଦାବି କରିଛି।

ପ୍ରକାଶ ଯେ, କମ୍ପାନୀ ୬୨,୪୭୬ କୋଟି ଟଙ୍କା ଚାଇନାକୁ ପଠାଇଥିବା ଅଭିଯୋଗ ହୋଇଛି। ଏହି ଆର୍ଥିକ ପରିମାଣ କମ୍ପାନୀ ଟର୍ଣ୍ଣ ଓଭରର ୫୦ ପ୍ରତିଶତ ହେବ। ଟ୍ୟାକ୍ସ ଫାଙ୍କିବା ଉଦ୍ଦେଶ୍ୟରେ କମ୍ପାନୀ ଏଭଳି ଏକ ଫନ୍ଦିଫିକର ଉପାୟକୁ ଆପଣେଇଥିବା ଇଡି ପକ୍ଷରୁ କୁହାଯାଇଛି। ତେବେ ଭିଭୋ ଇଣ୍ଡିଆ ବ୍ୟବସାୟର ୧୧୯ଟି ବ୍ୟାଙ୍କ ଆକାଉଣ୍ଟକୁ ଇଡି ପକ୍ଷରୁ ବ୍ଲକ କରାଯାଇଛି। ସେହିପରି କମ୍ପାନୀ ବିରୋଧରେ ମରନିଲଣ୍ଡରିଂ ଅଭିଯୋଗ ଆଣି ଇଡି ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ବ୍ୟାପକ ପରିମାଣରେ ଟ୍ୟାକ୍ସ ଫାଙ୍କିବା ଅଭିଯୋଗରେ ଇଡି ପକ୍ଷରୁ ଭିଭୋର ବିଭିନ୍ନ କାର୍ଯ୍ୟାଳୟରେ ଚଢ଼ାଉ କରାଯାଇଥିଲା।

Share