Categories: ଖେଳ

ଭିଭୋ ହାତରୁ ଖସିଲା ଆଇପିଏଲ ଟାଇଟଲ ସ୍ପନସରଶିପ୍‌

ନୂଆଦିଲ୍ଲୀ,୧୧।୧: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଟାଇଟଲ ସ୍ପନସର ଦାୟିତ୍ୱରୁ ଓହରି ଯାଇଛି ଫୋନ ନିର୍ମାତା କମ୍ପାନୀ ଭିଭୋ। ପରବର୍ତ୍ତୀ ଦୁଇ ସିଜନ ଲାଗି ଏହି ଦାୟିତ୍ୱ ଟାଟା କମ୍ପାନୀକୁ ଦିଆଯିବ। ଏ ନେଇ ମଙ୍ଗଳବାର ଆଇପିଏଲ ଗଭର୍ନିଂ କାଉନ୍ସିଲ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଆଇପିଏଲ ସ୍ପନସରଶିପ୍‌ରୁ ଓହରିବା ପାଇଁ ଚାଇନିଜ ଫୋନ ନିର୍ମାତା କମ୍ପାନୀ ପକ୍ଷରୁ ଅନୁରୋଧ କରାଯାଇଥିଲା। ଭିଭୋ ସହ କରାଯାଇଥିବା ସ୍ପନସରଶିପ୍‌ ଚୁକ୍ତିରେ ଆହୁରି ଦୁଇ ବର୍ଷ ଅଛି। ଏହି ଦୁଇ ସିଜନରେ ଟାଟା କମ୍ପାନୀ ପାଖରେ ଆଇପିଏଲର ସ୍ପନସରଶିପ୍‌ ରହିବ। ଏଣୁ ଲିଗ୍‌କୁ ଏବେଠୁ ଟାଟା ଆଇପିଏଲ କୁହାଯିବ।

ଏହାକୁ ସ୍ପଷ୍ଟ କରିଛନ୍ତି ଗଭର୍ନିଂ କାଉନ୍ସିଲରେ ଯୋଗ ଦେଇଥିବା କିଛି ବିସିସିଆଇ ଅଧିକାରୀ। “ଆଇପିଏଲ ସ୍ପନସରଶିପ୍‌ ଚୁକ୍ତିରୁ ଓହରିବାକୁ ଭିଭୋ ଅନୁରୋଧ କରିଥିଲା। ଏହାକୁ ବୈଠକରେ ସୀକୃତି ମିଳିଛି। ଟାଇଟଲ ଅଧିକାର ବାବଦକୁ ବିସିସିଆଇ ସମାନ ରୋଜଗାର କରିବ” ବୋଲି ଜଣେ ଅଧିକାରୀ କହିଛନ୍ତି।

୨୦୧୮ରେ ଭିଭୋ ବାର୍ଷିକ ୪୪୦ କୋଟି ଟଙ୍କା ଖର୍ଚ୍ଚରେ ଆଇପିଏଲ ଟାଇଟଲ ସ୍ପନସରଶିପ୍‌ ଅଧିକାର ହାତେଇଥିଲା। କିନ୍ତୁ ୨୦୨୦ରେ ଭାରତ ଓ ଚାଇନା ମଧ୍ୟରେ ସୀମା ବିବାଦ କାରଣରୁ ଭିଭୋ ସେହି ବର୍ଷ ପାଇଁ ଚୁକ୍ତିରୁ ବିରତି ନେଇଥିଲା। ଏଥିଯୋଗୁ ଏହି ଅଧିକାର ଦିଆଯାଇଥିଲା ଡ୍ରିମ୍‌ ୧୧କୁ।

Share