ପାଣ୍ଡିଆନଙ୍କ କଡ଼ା କାଉଣ୍ଟର

ଭୁବନେଶ୍ୱର,୧୧।୫: ରଘୁନାଥପାଲ୍ଲୀରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଜୋରଦାର ପ୍ରଚାର କରିଛନ୍ତି । ଜନସଭାରେ ଯୋଗ ଦେଇ ବିକାଶମୂଳକ କାମର ହିସାବ ଦେବା ସହ ବିରୋଧୀ ଭାଜପାକୁ ତୁହାକୁ ତୁହା ଆକ୍ରମଣ କରି ଲହୁ ଲୁହାଣ କରିଛନ୍ତି ପାଣ୍ଡିଆନ । ସେପଟେ କନ୍ଧମାଳ ଓ ବଲାଙ୍ଗୀରରେ ମୋଦି ନଛୋଡବନ୍ଧା ଆକ୍ରମଣ କରୁଥିବାବେଳେ ଏପଟେ ପାଣ୍ଡିଆନ ମଧ୍ୟ ଭାଜପା ଓ କେନ୍ଦ୍ରମନ୍ତ୍ରୀଙ୍କୁ ନାଁ ନ ନେଇ ଟାର୍ଗେଟ କରିବାରେ ଲାଗିଛନ୍ତି।

ରଘୁନାଥପାଲ୍ଲୀରେ ଶନିବାର ପ୍ରଚାର କରି ସେ କହିଛନ୍ତି, ୨୦୧୪ରେ ଭାଜପା ୨ କୋଟି ଚାକିରି ଦେବାକୁ କହିଥିଲା, ୧୦ ବର୍ଷରେ ଓଡ଼ିଶାବାସୀ ୮୦ ଲକ୍ଷ ଲୋକ ଚାକିରି ପାଇବା କଥା । କିନ୍ତୁ କ୍ଷମତାକୁ ଆସିଲେ ଭାଜପା ସବୁ କିଛି ଭୁଲିଯାଏ । ଦରଦାମ ହ୍ରାସ କରିବାକୁ କହି କ୍ଷମତାକୁ ଆସିଥିଲା ଭାଜପା । କିନ୍ତୁ ସରକାରକୁ ଆସିବା ପରେ ହୁ ହୁ ହୋଇ ଦର ବଢୁଛି । ନବୀନ ସରକାର ଦର ହ୍ରାସ ପାଇଁ ସବୁପ୍ରକାର ଉଦ୍ୟମ କରୁଛନ୍ତି । ନବୀନ ବାବୁ ମାଗଣା ବିଜୁଳି ଦେବାକୁ ଘୋଷଣା କରିବା ପରେ ବିରୋଧୀଙ୍କୁ କରେଣ୍ଟ ଲାଗୁଛି । ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ । ଶପଥଗ୍ରହଣର ସଂଧ୍ୟାରେ ନିର୍ବାଚନୀ ଇସ୍ତାହାରକୁ କ୍ୟାବିନେଟରେ ଅନୁମୋଦନ ଦିଆଯିବ ।

ପାଣ୍ଡିଆନ କହିଛନ୍ତି, ଜୁନ ମାସର ବିଜୁଳି ବିଲ ଓଡ଼ିଶାବାସୀଙ୍କୁ ଦେବାକୁ ପଡିବନି । ଏହା ହିଁ ନବୀନଙ୍କ ଗ୍ୟାରେଣ୍ଟି, ୫-ଟି ଗ୍ୟାରେଣ୍ଟି । ତେଲ ଦର, ଏଲପିଜି ଦର ବୃଦ୍ଧି ହେବ ନାହିଁ ବୋଲି ଭାଜପା ଗ୍ୟାରେଣ୍ଟି ଦେଇପାରିବ କି? ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଇ ଭୋଟ ନେବାକୁ ଭାଜପା ଉଦ୍ୟମ କରୁଛି କିନ୍ତୁ ଭାଜପାର ଅସଲ ଚେହେରା ଲୋକେ ଚିହ୍ନିଛନ୍ତି । ଭାଜପା କହୁଛି ଓଡ଼ିଶାରେ ମୋଦିଙ୍କ ହାୱା ବୋହୁଛି । ଏହା ଭୁଲ। ଏଠାରେ କେବଳ ନବୀନଙ୍କ ହାଓ୍ବା ବୋହୁଛି କହିଛନ୍ତି ପାଣ୍ଡିଆନ ।

Share