ଡିପଫେକ୍‌ର ଶିକାର ହେଲେ ପୁଟିନ, ଭାଇରାଲ ହେଉଛି ଭିଡିଓ

ମସ୍କୋ,୧୫।୧୨: କୃତିମ ବୁଦ୍ଧିମତା ବା ଏଆଇ ଏବେ ସୁବଠି ଚହଳ ପକେଇଛି। ଏଆଇ ଦ୍ୱାରା ଲୋକଙ୍କୁ ଚାକିରୀ ଚାଲିଯିବା ଭୟ ଘାରିଥିବାବେଳେ ନିକଟରେ ଏଆଇ ଦ୍ୱାରା ସୃଷ୍ଟି ହୋଇଥିବା ଡିପଫେକ୍‌ ସମସ୍ୟା ମଧ୍ୟ ସମସ୍ତଙ୍କର ମୁଣ୍ଡବିନ୍ଧାର କାରଣ ସାଜିଛି। ବଡ ବଡ ସେଲିବ୍ରେଟିଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ମଧ୍ୟ ଏହି ଡିପଫେକ୍‌ର ଶିକାର ହୋଇଛନ୍ତି।
ନିକଟରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭଳି ଦେଖାଯାଉଥିବା ଏଆଇ ରୋବଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୂଚନାଥାଉ କି, ଋଷିଆରେ ବର୍ଷ ଶେଷରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥାଏ। ଯେଉଁଥିରେ ଦେଶର ନାଗରିକ ଖୋଦ୍‌ ରାଷ୍ଟ୍ରପତିଙ୍କ ସହ ଦେଶର ବିଭିନ୍ନ ସମସ୍ୟା ଉପରେ ଖୋଲାଖୋଲି ଆଲୋଚନା କରିଥାନ୍ତି। ତେବେ ଚଳିତ ବର୍ଷ ହୋଇଥିବା ସମ୍ମିଳନୀର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ପୁଟିନଙ୍କର ଜଣେ ଏଆଇ ରୋବଟ ତାଙ୍କ ସହ କଥାବାର୍ତ୍ତା ହେଉଥିବା ଦେଖାଯାଇଛି।

ଏଆଇ ରୋବଟ ଜଣକ ଅବିକଳ ପୁଟିନଙ୍କ ଭଳି ଦେଖାଯାଛନ୍ତି। କିନ୍ତୁ ସେ ନିଜକୁ ପିଟର୍ସବର୍ଗ ଷ୍ଟେଟ ୟୁନିଭରସିଟିର ଜଣେ ଛାତ୍ର ବୋଲି ପୁଟିନଙ୍କୁ ପରିଚୟ ଦେଇଛନ୍ତି। ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଏହି ଭିଡିଓରେ ପୁଟିନ ଡିପିଫେକର ଶିକାର ହୋଇଛନ୍ତି ବୋଲି କୁହାଯାଉଛି।

ଭିଡିଓରେ ନକଲି ପୁଟିନ, ରାଷ୍ଟ୍ରପତି ପୁଟିନଙ୍କୁ ନ୍ୟୁରାଲ ନେଟଓ୍ବର୍କ ଓ ଏଆଇର ଭୟାବହତା ଉପରେ ତାଙ୍କର ଦୃଷ୍ଟିକୋଣ କଣ ଅଛି ବୋଲି ପ୍ରଶ୍ନ କରିଛନ୍ତି। ଏଥିସହ ସେ କଣ ତାଙ୍କର ଅବିକଳ ପ୍ରତିଛବି ଭାବରେ ରୋବଟ ରଖିଛନ୍ତି ବୋଲି କହିଛନ୍ତି।
ଏପରି ପ୍ରଶ୍ନରେ ସମ୍ମୁଖରେ ବସିଥିବା ଜନତାଙ୍କ ମଧ୍ୟରେ ହାସ୍ୟରୋଳ ସୃଷ୍ଟି ହୋଇଛି। କିନ୍ତୁ ରାଷ୍ଟ୍ରପତି ପୁଟିନ ଗମ୍ଭୀରତାର ସହ ନକଲି ପୁଟିନଙ୍କ ଆଡେ ଦୃଷ୍ଟି ଫେରେଇଛନ୍ତି।
ଉତ୍ତରରେ ପୁଟିନ୍‌ କହିଛନ୍ତି, ଆପଣ ମୋ ଭଳି ଦେଖାଯାଇପାରିବେ ଏବଂ ମୋ ଭଳି ସ୍ବରରେ କଥାବାର୍ତ୍ତା ମଧ୍ୟ କରିପାରିବେ। କିନ୍ତୁ ମୁଁ କେବଳ ଜଣଙ୍କୁ ମୋ ଭଳି ହେବାକୁ ନିର୍ଦ୍ଦେଶ ଦେଇପାରିବି। ଆଉ ସେ ହେଉଛି ମୁଁ। ଅନ୍ୟଥା କାହାକୁ ଏଭଳି କରିବାକୁ ମୋର ନିର୍ଦ୍ଦେଶ ନାହିଁ। କିନ୍ତୁ ମୁଁ ଦେଖିପାରୁଛି ମୋର ନକଲ ପ୍ରସ୍ତୁତ ହୋଇ ସାରିଛି।

ଏଠାରେ କହି ରଖୁଛୁ, ଏହି ଭିଡିଓ ଏପରି ସମୟରେ ଭାଇରାଲ ହୋଇଛି ଯେତେବେଳେ କି ପୁଟିନ୍‌ ଅସୁସ୍ଥ ଥିବା ନେଇ ଚର୍ଚ୍ଚା ଲାଗି ରହିଛି। ତାଙ୍କ ବଦଳରେ ଏପରି ଏଆଇ ରୋବଟ ପ୍ରସ୍ତୁତ ହୋଇଛି ବୋଲି ମଧ୍ୟ ଅନୁମାନ କରାଯାଉଛି। ସେହିପରି ଭୁଲ ସୂଚନା ବ୍ୟାପିବା କିମ୍ବା କୌଣସି ବଡ ବଡ ସେଲିବ୍ରେଟିଙ୍କ ଚରିତ୍ର ହାନି ପାଇଁ ଏଆଇ-ଡିପିଫେକ୍‌କୁ ବ୍ୟବହାର କରାଯାଉଛି।

Share