ପୁଟିନ କହିଲେ ଭବିଷ୍ୟତ ଭାରତର, ମୋଦିଙ୍କ ନେତୃତ୍ୱକୁ କଲେ ପ୍ରଶଂସା

ମସ୍କୋ,୨୮ ।୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ ପୁଣିଥରେ ଭାରତ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପ୍ରଶଂସା କରିଛନ୍ତି । ସେ କହିଛନ୍ତି ବିଶ୍ୱ ସ୍ତରରେ ଭାରତର ଭୂମିକା ବଢିବାରେ ଲାଗିଛି । ସେହିଭଳି ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଗତ କିଛି ବର୍ଷ ହେବ ଭାରତରେ ‘ମେକ ଇନ ଇଣ୍ଡିଆ’ ଭଳି କାର୍ଯ୍ୟ ହୋଇଛି । ଏହା ଖୁବ୍ ଗୁରୁତ୍ୱ ବହନ କରେ । ତେଣୁ ଭବିଷ୍ୟତ ଭାରତର ବୋଲି ସେ କହିଛନ୍ତି ।

ମସ୍କୋରେ ଆୟୋଜିତ ବାର୍ଷିକ ଭଲ୍‌ଦାଇ ଚର୍ଚ୍ଚା ସମୟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଏକ ବ୍ରିଟିଶ ଉପନିବେଶରୁ ସ୍ୱତନ୍ତ୍ର ଆଧୁନିକ ଦେଶ ପର୍ଯ୍ୟନ୍ତ ଭାରତ ବିକାଶ କ୍ଷେତ୍ରରେ ଆଶ୍ଚର୍ଯ୍ୟଜନକ ଅଗ୍ରଗତି କରିଛି । ଗତ କିଛି ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତରେ ବହୁତ କିଛି କାମ ହୋଇଛି । ତାଙ୍କର ‘ମେକ ଇନ ଇଣ୍ଡିଆ’ କାର୍ଯ୍ୟକ୍ରମ ବି ଆର୍ଥିକ ଦୃଷ୍ଟିରୁ ଗୁରୁତ୍ୱ ରଖେ ।
ପୁଟିନ କହିଛନ୍ତି ମୋଦିଙ୍କ ନେତୃତ୍ୱରେ ବହୁତ କିଛି ହୋଇଛି । ସେ ଦଶଭକ୍ତ । ‘ମେକ ଇନ ଇଣ୍ଡିଆ’ରେ ତାଙ୍କ ବିଚାର ଆର୍ଥିକ ଓ ନୈତିକତା ଉଭୟରେ ଗୁରୁତ୍ୱ ରଖେ । ଭବିଷ୍ୟତ ଭାରତର, ଏହା ଉପରେ ଗର୍ବ କରିବା କଥା ଯେ ଏହା ବିଶ୍ୱର ସବୁଠାରୁ ବଡ ଲୋକତନ୍ତ୍ର ।
ପୁଟିନ ଆହୁରି ମଧ୍ୟ କହିଛନ୍ତି, ଭାରତ ସହ ଆମର ବିଶେଷ ସମ୍ପର୍କ ରହିଛି । ବେଶ କିଛି ଦଶକ ହେବ ଭାରତ ସହ ରୁଷିଆର ଘନିଷ୍ଠତା ଥିବା ସେ କହିଛନ୍ତି । ସେ କହିଛନ୍ତି, ଆମ ଭିତରେ କେବେ କୌଣସି ଅସୁବିଧା ପ୍ରସଙ୍ଗ ଦେଖାଦେଇନାହିଁ, ଆମେ ପରସ୍ପରକୁ ସମର୍ଥନ କରିଛୁ, ଯାହା ଏବେବି ହେଉଛି । ମୋର ବିଶ୍ୱାସ ରହିଛି ଏହା ଭବିଷ୍ୟତରେ ବି ରହିବ ।

Share