ପେସା ଶିକ୍ଷକତା, ନିଶା ଜଙ୍ଗଲ ସୁରକ୍ଷା

ଆର.ଉଦୟଗିରି,୧୧ା୪(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ମଲ୍ଲିପଦର ଗାଁର ଜଣେ ବ୍ୟକ୍ତି ଶିକ୍ଷକତା କରୁଥିଲେ ମଧ୍ୟ ଜଙ୍ଗଲ ସୁରକ୍ଷା ତାଙ୍କ ନିଶା ପାଲଟିଛି। କେବଳ ସୁରକ୍ଷା ନୁହେଁ, ଜଙ୍ଗଲ ମଧ୍ୟରେ ୩୦ ଏକର ଜାଗାରେ ଥିବା ୨ ହଜାରରୁ ଊର୍ଦ୍ଧ୍ୱ ସର୍ଗି ଗଛରେ ଗୋଲମରିଚ ଚାଷ କରିଛନ୍ତି। ଏହି ଚାଷ ତାଙ୍କୁ ରୋଜଗାର ମଧ୍ୟ ଦେଉଛି। ଶିକ୍ଷକ ଜଣକ ହେଉଛନ୍ତି ଆଦିବାସୀ ଅଧ୍ୟୁଷିତ ମୋହନା ବ୍ଲକ ବଡ଼ଖଣି ପଞ୍ଚାୟତ ମଲିପଦର ଗାଁର କରଣସିଂ ପ୍ରଧାନ। ସେ ଦେଉଳଖଣି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି। ବାପାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜଙ୍ଗଲ ସୁରକ୍ଷାକୁ ସେ ଗୁରୁତ୍ୱ ଦେଇ ଆସୁଛନ୍ତି। ଏବେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ଅଞ୍ଚଳବାସୀ।
ମଲ୍ଲିପଦର ଗାଁ ନିକଟରେ ପ୍ରାୟ ୨୦୦ ହେକ୍ଟର ଜଙ୍ଗଲରେ ଥିବା ଶାଳ, ପିଆଶାଳ, ଶାଗୁଆନ ଭଳି ବହୁ ମୂଲ୍ୟବାନ ଗଛ ରହିଛି। ଏହି ଜଙ୍ଗଲକୁ କାଠ ମାଫିଆମାନେ ନିଜ ଅକ୍ତିଆରକୁ ନେଇ ଗଛକାଟି ନେଉଥିଲେ। ଗଛ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଥିଲେ ଶିକ୍ଷକ କରଣସିଂଙ୍କ ବାପା ବ୍ରାହ୍ମଣ ସିଂ ପ୍ରଧାନ। ତେଣୁ ସରକାରଙ୍କ ପକ୍ଷରୁ ତାଙ୍କୁ ପ୍ରକୃତି ମିତ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା। ୧୫ ବର୍ଷ ତଳେ କାଠ ମାଫିଆଙ୍କ ରୋଷର ଶିକାର ହୋଇ ପ୍ରାଣ ହରାଇଥିଲେ ବ୍ରାହ୍ମଣ ସିଂ। ବାପା ଚାଲିଯିବା ପରେ ତାଙ୍କ ନୀତି ଓ ଆଦର୍ଶକୁ ଅନୁପାଳନ କରି ଆସୁଛନ୍ତି କରଣ ସିଂ। ସ୍କୁଲ ଯିବା ପୂର୍ବରୁ ଓ ଫେରିବା ପରେ ଜଙ୍ଗଲ ସୁରକ୍ଷା ପାଇଁ ସମୟ ବାହାର କରିବା ସହ ଲୋକଙ୍କୁ ଜଙ୍ଗଲ ଆମର ସମ୍ପଦ ବୋଲି ସଚେତନ କରୁଛନ୍ତି। ପୂର୍ବରୁ ଏହି ଅଞ୍ଚଳରେ ଅନେକ ପାହାଡ଼ରେ ପୋଡ଼ୁ ଚାଷ ଯୋଗୁ ଜଙ୍ଗଲ ନଷ୍ଟ ହେଉଥିଲା। ସଚେତନତା ଯୋଗୁ ଏବେ ପୋଡ଼ୁଚାଷ ବନ୍ଦ ହେବା ସହ କାଠ ମାଫିଆଙ୍କ ଦୌରାତ୍ମ୍ୟ ମଧ୍ୟ କମିଛି। ଉପଯୁକ୍ତ ବଜାରର ସୁବିଧା ନଥିବାରୁ କମ୍‌ ଟଙ୍କାରେ ଗୋଲମରିଚ ବିକ୍ରି ହେଉଥିବା କହିଛନ୍ତି କରଣ ସିଂ। ଯଦି ସରକାର ଗୋଲମରିଚ ବିକ୍ରି ପାଇଁ କୌଣସି ସୁବିଧା ସହିତ ଚାଷ ପାଇଁ ତାଲିମ ଯୋଗାଇ ଦିଅନ୍ତେ, ତେବେ ଅଞ୍ଚଳବାସୀ ଉପକୃତ ହୋଇପାରନ୍ତେ ବୋଲି ସେ କହିଛନ୍ତି।

Share