Categories: ବାଣିଜ୍ୟ

ଅକ୍ଟୋବରରେ ‘ଫିଜିକ୍ସ ଓ୍ବାଲ୍‌’ର ବୃତ୍ତି ପରୀକ୍ଷା

ଭୁବନେଶ୍ୱର,୧୯।୮: ଦେଶର ପ୍ରମୁଖ ଘରୋଇ ୟୁନିକର୍ନ ଇ-ଟେକ୍‌ କମ୍ପାନୀ ତଥା କୋଚିଂ ସେଣ୍ଟର ‘ଫିଜିକ୍ସ ଓ୍ବାଲ୍‌’ (ପିଡବ୍ଲ୍ୟୁ)ର ବହୁ ପ୍ରତୀକ୍ଷିତ ପ୍ରବେଶିକା ପରୀକ୍ଷା ‘ପିଡବ୍ଲ୍ୟୁଏନ୍‌ଏସ୍‌ଏଟି-୨୦୨୩’ (ଫିଜିକ୍ସ ଓ୍ବାଲ୍‌ ନ୍ୟାଶନାଲ ସ୍କଲାରଶିପ କମ୍‌ ଆଡମିଶନ ଟେଷ୍ଟ) ସମ୍ପର୍କରେ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ପିଡବ୍ଲ୍ୟୁର ଭୁବନେଶ୍ୱର ସେଣ୍ଟର ପକ୍ଷରୁ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀ ଆୟୋଜନ କରାଯାଇଥିଲା। ଉକ୍ତ ସମ୍ମିଳନୀରେ ଯୋଗଦେଇ ସେଣ୍ଟର ହେଡ୍‌ ସୁଜା ଅହମ୍ମଦ ଏବଂ ବାଣିଜ୍ୟ ମୁଖ୍ୟ ସିଦ୍ଧାର୍ଥ ଶଙ୍କର ଛୋଟରାୟ ପ୍ରବେଶିକା ପରୀକ୍ଷା ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ଉଲ୍ଲେଖଯୋଗ୍ୟ, ୨୦୨୩ ଅକ୍ଟୋବର ୧ରୁ ୧୫ ମଧ୍ୟରେ ଏହି ପ୍ରବେଶିକା ପରୀକ୍ଷା ଉଭୟ ଅନ୍‌ଲାଇନ ଓ ଅଫ୍‌ଲାଇନ ପ୍ଲାଟ୍‌ଫର୍ମରେ ହେବ। ବିଶେଷକରି ୬ଷ୍ଠରୁ ଦ୍ୱାଦଶ ଶ୍ରେଣୀର ଛାତ୍ରୀଛାତ୍ରମାନେ ଉକ୍ତ ପ୍ରବେଶିକା ପରୀକ୍ଷାରେ ଅଂଶ ଗ୍ରହଣ କରିପାରିବେ।
ଏ ସମ୍ପର୍କରେ ପିଡବ୍ଲ୍ୟୁର ସିଇଓ (ବିଦ୍ୟାପୀଠ ଅଫ୍‌ଲାଇନ) ଅଙ୍କିତ ଗୁପ୍ତା କହିଛନ୍ତି, ଛାତ୍ରୀଛାତ୍ରଙ୍କ ସ୍ବପ୍ନ ପୂରଣ ସହ ଶିକ୍ଷାର ବିକାଶ ଏବଂ ଶିକ୍ଷିତ ସମାଜ ସୃଷ୍ଟି କରିବା ଲକ୍ଷ୍ୟରେ ଏଭଳି ଏକ ପଦକ୍ଷେପ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଅର୍ଥ ଅଭାବରୁ ସ୍ବପ୍ନ ପୂରଣ କରିପାରୁ ନ ଥିବା ସଫଳ ଓ ଉଦୀୟମାନ ଛାତ୍ର ଏବଂ ଅଭିଭାବକଙ୍କ ପାଇଁ ଏହା ଏକ ସୁଯୋଗ ହୋଇଥିଲେ ମଧ୍ୟ କୃତୀ ଛାତ୍ରୀଛାତ୍ରମାନେ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିବାର ଏକ ସୁଯୋଗ ପାଇବେ ବୋଲି ଗୁପ୍ତା ମତପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ଚଳିତ ବର୍ଷର ପ୍ରବେଶିକା ପରୀକ୍ଷାରେ ଶ୍ରେଷ୍ଠସ୍ଥାନ ହାସଲ କରିଥିବା କୃତୀ ଛାତ୍ରୀଛାତ୍ରମାନଙ୍କୁ ପ୍ରାୟ ୨୦୦ କୋଟି ଟଙ୍କାର ଛାତ୍ରବୃତ୍ତି ପ୍ରଦାନ ସହ ସ୍ବପ୍ନ ପୂରଣ ପାଇଁ ଆବଶ୍ୟକ ସହଯୋଗ ମଧ୍ୟ ଅନୁଷ୍ଠାନ ପକ୍ଷରୁ ଯୋଗାଇଦିଆଯିବ। ଏପରିକି ‘ପିଡବ୍ଲ୍ୟୁଏନ୍‌ଏସ୍‌ଏଟି-୨୦୨୩’ ଉଭୟ ଅଫ୍‌ଲାଇନ ଏବଂ ଅନ୍‌ଲାଇନରେ ଅନୁଷ୍ଠିତ ହେବ। ଅଫ୍‌ଲାଇନ ପରୀକ୍ଷା ୨୦୨୩ ଅକ୍ଟୋବର ୧, ୮ ଏବଂ ୧୫ରେ ହେବାକୁ ଥିବାବେଳେ ଅନ୍‌ଲାଇନ ପରୀକ୍ଷା ୨୦୨୩ ଅକ୍ଟୋବର ୧ ଏବଂ ୧୫ ରେ ଅନୁଷ୍ଠିତ ହେବ।

Share