ଜୁଲାଇ ୨୩ରେ ଆମ ଜୀବନରେ ରେଡିଓର ଗଭୀର ପ୍ରଭାବକୁ ସମ୍ମାନ ଜଣାଇବା ପାଇଁ ଭାରତରେ ଜାତୀୟ ପ୍ରସାରଣ ଦିବସ ପାଳନ କରାଯାଇଥାଏ। ଏହି ଦିବସରେ ଭାରତରେ ସର୍ବପ୍ରଥମ ରେଡିଓ ପ୍ରସାରଣ ଆରମ୍ଭ ହୋଇଥିଲା, ଯାହା ଅଲ୍ ଇଣ୍ଡିଆ ରେଡିଓ(ଏଆଇଆର) ଭାବେ ଜଣାଶୁଣା। ଏହି ଉତ୍ସବକୁ ପାଳନ କରିବା ପାଇଁ ଅଲ୍ ଇଣ୍ଡିଆ ରେଡିଓ ଦେଶର ବିଭିନ୍ନ ଅଞ୍ଚଳରେ ଆଲୋଚନାଚକ୍ର କରି ଏକ ଆଧୁନିକ ଭାରତ ଗଠନରେ ପ୍ରସାରଣର ଭୂମିକା ଏବଂ ଯୋଗାଯୋଗର ନୂତନ ମାଧ୍ୟମ ଅନୁସନ୍ଧାନ ଉପରେ ଗୁରୁତ୍ୱାରୋପ କରିଥାଏ।
୧୯୨୩ରେ ବମ୍ବେର ରେଡିଓ କ୍ଲବରୁ ଏକ ପଦକ୍ଷେପ ଭାବେ ରେଡିଓ ପ୍ରସାରଣ ଆରମ୍ଭ କରାଯାଇଥିଲା।
୧୯୨୭ରେ ଭାରତୀୟ ବ୍ରଡ୍କାଷ୍ଟିଂ କମ୍ପାନୀ ଅଧୀନରେ ବମ୍ବେ ଷ୍ଟେଶନରୁ ଭାରତର ପ୍ରଥମ ରେଡିଓ ପ୍ରସାରଣ ଆରମ୍ଭ ହୋଇଥିଲା ।
୨୩ ଜୁଲାଇ ୧୯୨୭ରେ ଅଲ୍ ଇଣ୍ଡିଆ ରେଡିଓ ଇଣ୍ଡିଆନ ବ୍ରଡ୍କାଷ୍ଟିଂ କମ୍ପାନୀ ଲିମିଟେଡ୍ (ଆଇବିସି) ନାମକ ଏକ ଘରୋଇ କମ୍ପାନୀ ଭାବେ ପ୍ରତିଷ୍ଠିତ ହୋଇଥିଲା ଏବଂ ଏହି ତାରିଖ ୧୯୩୬ ମସିହାରେ ପ୍ରତିଷ୍ଠିତ ଜାତୀୟ ପ୍ରସାରଣ ଦିବସ ପାଳନ ପାଇଁ ଆଧାର ହୋଇପାରିଥିଲା। ପରେ ୮ ଜୁନ୍ ୧୯୩୬ରେ ଆଇବିସି ଅଲ୍ ଇଣ୍ଡିଆ ରେଡିଓରେ ରୂପାନ୍ତରିତ ହୋଇଥିଲା। ୧୯୫୬ ମସିହାରେ, ରବୀନ୍ଦ୍ରନାଥ ଟାଗୋରଙ୍କ ୧୯୩୮ରେ ରଚିତ କବିତା ଆକାଶବାଣୀ ଦ୍ୱାରା ଅନୁପ୍ରାଣିତ ହୋଇ ପରେ ଏହାକୁ ଆକାଶବାଣୀ ନାମରେ ଆନୁଷ୍ଠାନିକ ଭାବେ ଗ୍ରହଣ କରାଯାଇଥିଲା। ଏକ ସ୍ବାଧୀନ ଭାରତ ଗଠନରେ ଭାରତୀୟ ରେଡିଓ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ସ୍ବାଧୀନତା ହାସଲ ପୂର୍ବରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ୍ଙ୍କ ନେତୃତ୍ୱରେ ଆଜାଦ୍ ହିନ୍ଦ୍ ରେଡିଓ ଏବଂ କଂଗ୍ରେସ ରେଡିଓ ଉଭୟ ବ୍ରିଟିଶ୍ ଉପନିବେଶ ଶାସନ ବିରୋଧରେ ଭାରତୀୟମାନଙ୍କୁ ପ୍ରେରଣା ଯୋଗାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଅଧିକନ୍ତୁ, ୧୯୭୧ ଯୁଦ୍ଧ ସମୟରେ ଆକାଶବାଣୀ ଦମନକାରୀ ପାକିସ୍ତାନୀ ସୈନ୍ୟ ବିରୁଦ୍ଧରେ ବାଂଲାଦେଶର ମୁକ୍ତି ସଂଗ୍ରାମକୁ ସମର୍ଥନ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଏହି ଅବଦାନଗୁଡିକ ଦେଶ ଗଠନରେ ରେଡିଓ ପ୍ରସାରଣର ଅପାର ପ୍ରଭାବକୁ ଉଲ୍ଲେଖ କରିଥାଏ। ଫଳସ୍ବରୂପ, ଜାତୀୟ ପ୍ରସାରଣ ଦିବସ ଆମ ଦେଶ ପାଇଁ ଏକ ମହତ୍ୱପୂର୍ଣ୍ଣ ଉତ୍ସବ ଭାବରେ ପ୍ରସାରଣର ଶକ୍ତି ତଥା ଭାରତର ଇତିହାସ ଗଠନରେ ଏହାର ଭୂମିକାକୁ ପାଳନ କରିଥାଏ।
ରେଡିଓ ପ୍ରସାରଣର ଇତିହାସ ଅତି ପୁରୁଣା। ବମ୍ବେ, କଲିକତା(କୋଲ୍କାତା), ଏବଂ ମାଡ୍ରାସ(ଚେନ୍ନାଇ)ରେ ରେଡିଓ କ୍ଲବ ପ୍ରତିଷ୍ଠା ସହିତ ୧୯୨୩ ଏବଂ ୧୯୨୪ ମସିହାରେ ଭାରତରେ ରେଡିଓ ପ୍ରସାରଣ ବ୍ୟକ୍ତିଗତ ପଦକ୍ଷେପ ଭାବେ ଆରମ୍ଭ ହୋଇଥିଲା। ତେବେ ଆର୍ଥିକ ପ୍ରତିବନ୍ଧକ ଯୋଗୁ ଏହି ଷ୍ଟେଶନଗୁଡ଼ିକୁ ବନ୍ଦ କରିବାକୁ ପଡ଼ିଥିଲା।
ଜୁଲାଇ ୧୯୨୭ରେ ବମ୍ବେରେ ଏବଂ ମାସେ ପରେ କଲିକତାରେ ଭାରତ ସରକାର ଏବଂ ଇଣ୍ଡିଆନ୍ ବ୍ରଡ୍କାଷ୍ଟିଂ କମ୍ପାନୀ ଲିମିଟେଡ୍ ନାମକ ଏକ ଘରୋଇ କମ୍ପାନୀ ମଧ୍ୟରେ ହୋଇଥିବା ଚୁକ୍ତିନାମା ମାଧ୍ୟମରେ ପ୍ରସାରଣ ସେବା ଆରମ୍ଭ କରାଯାଇଥିଲା।
ଭାରତୀୟ ବ୍ରଡ୍କାଷ୍ଟିଂ କମ୍ପାନୀ ବନ୍ଦକୁ ନେଇ ଜନସାଧାରଣଙ୍କ ଅସନ୍ତୋଷର ଉତ୍ତରରେ ସରକାର ୧ ଏପ୍ରିଲ ୧୯୩୦ରେ ଏହାର ପ୍ରସାରଣ ଦାୟିତ୍ୱ ଗ୍ରହଣ କରି ଏହାକୁ ଭାରତୀୟ ରାଜ୍ୟ ପ୍ରସାରଣ ସେବା(ଆଇଏସ୍ବିଏସ୍) ନାମରେ ନାମିତ କରିଥିଲେ। ପ୍ରାରମ୍ଭରେ ପରୀକ୍ଷାମୂଳକ ଭାବେ ଏହା ୧୯୩୨ରେ ସ୍ଥାୟୀ ଭାବରେ ସରକାରୀ ନିୟନ୍ତ୍ରଣରେ ରହିଥିଲା।
୧୯୩୬ ମସିହାରେ ଦିଲ୍ଲୀରେ ଏକ ନୂତନ ରେଡିଓ ଷ୍ଟେଶନ ପ୍ରତିଷ୍ଠା କରାଯାଇଥିଲା। ସେହି ବର୍ଷ ଜୁନ୍ ୮ରେ ଭାରତୀୟ ପ୍ରସାରଣ ସେବାକୁ ଏଆଇଆର ଭାବେ ପୁନଃ ନାମିତ କରାଯାଇଥିଲା। ଦିଲ୍ଲୀ ଷ୍ଟେଶନ ଶେଷରେ ଜାତୀୟସ୍ତରର ପ୍ରସାରଣ କେନ୍ଦ୍ର ଭାବେ ପରିଣତ ହୋଇଥିଲା।