ନୂଆଦିଲ୍ଲୀ,୧୨।୧୧: ବିହାର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ କଂଗ୍ରେସରେ ବିଦ୍ରୋହ ସ୍ବର ଉଠିଛି। ମହାମେଣ୍ଟର ପରାଜୟ ପାଇଁ କଂଗ୍ରେସ ଦାୟୀ ବୋଲି ଦଳରେ ଚର୍ଚ୍ଚା ହେଉଛି। ଏନେଇ ଗୁରୁବାର କଂଗ୍ରେସ ମହାସଚିବ ତାରିକ୍ ଅନଓ୍ବାର ଦଳ ପରାଜୟର କାରଣ ଉପରେ ଚିନ୍ତା କରିବା ଆବଶ୍ୟକ ବୋଲି କହିଛନ୍ତି। ଇଭିଏମ୍ ଉପରେ ଦୋଷାରୋପ ନକରି ପରାଜୟ ସ୍ବୀକାର କରି ଆତ୍ମଚିନ୍ତନ କରାଗଲେ ଦଳ ପାଇଁ ଭଲ। ମୁସଲମାନ ଭୋଟର କଂଗ୍ରେସଠାରୁ ଦୂରେଇ ଯିବା ଦଳ ପାଇଁ ଶୁଭଙ୍କର ନୁହେଁ। ସେହିପରି ବିହାରରେ ଏଆଇଏମ୍ଆଇଏମ୍ର ପ୍ରବେଶ ଭବିଷ୍ୟତରେ କଂଗ୍ରେସ ଲାଗି ଅସୁବିଧା ସୃଷ୍ଟି କରିବ ବୋଲି ସେ ଟୁଇଟ୍ କରି କହିଛନ୍ତି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ବର୍ତ୍ତମାନ ସୁଦ୍ଧା ବିହାର ପରାଜୟ ଉପରେ କୌଣସି ମନ୍ତବ୍ୟ ଦେଇ ନାହାନ୍ତି। ତେବେ ଦଳରେ ଧୀରେଧୀରେ ଅସନ୍ତୋଷ ବଢ଼ିବାରେ ଲାଗିଥିବା ଚର୍ଚ୍ଚା ହେଉଛି।