ସ୍ବର

ହାତୀଟିଏ ହାତୀଶାଳରୁ ଖସି ଆସି ତା’ର ଅନେକ ଦିନର ବନ୍ଧୁ ହରିଣ, ଗାଈ, ବାଘ, ବିଲୁଆ, ଠେକୁଆମାନଙ୍କ ପାଖକୁ ଚାଲି ଆସି ଗୋଟିଏ ପଡ଼ିଆରେ ମିଳିତ ହୋଇଥାଏ। ଠେକୁଆଟି ପଚାରିଲା, ହାତୀଭାଇ ବହୁ ଦିନ ପରେ ଦେଖା, କେମିତି ଅଛ? ହାତୀ ଉତ୍ତର ଦେଇ କହିଲା, ଏ ମଣିଷର ଖପୁରି ଉପରେ ମୃତ୍ୟୁର ସ୍ବର ସଦାସର୍ବଦା ଝଙ୍କୁରିତ ହେଉଥିଲେ ମଧ୍ୟ ଗୋଟାଏ ମାହୁନ୍ତକୁ ରଖି ମୋର ମୁଣ୍ଡକୁ ସଦାସର୍ବଦା ଅଙ୍କୁଶରେ ଖେଞ୍ଚୁଛି। ଘୃଣାର ହିସ୍‌ ହିସ୍‌ ଶବ୍ଦରେ ମଣିଷ ନିଜେ ଜର୍ଜରିତ। ତା’ର ସ୍ବରରେ ସେ ହତ୍ୟାକାରୀକୁ ହତ୍ୟାକରେ ନାହିଁ କିମ୍ବା ମୁମୂର୍ଷୁକୁ ମାରେ ନାହିଁ, କେବଳ ସ୍ବର ଅପବ୍ୟବହାରକରି ନିଜର ଓ ଅନ୍ୟର କ୍ଷତି ପହଞ୍ଚାଇଥାଏ।
ହରିଣ କହିଲା, ତୁମେ ଠିକ୍‌ କହିଛ। ମଣିଷ ତା’ର ସ୍ବର ମାଧ୍ୟମରେ ଶାନ୍ତିକୁ ଅସ୍ବୀକାର କରେ ଓ ସାହସକରି ସମୁଦ୍ରରେ ଉଠୁଥିବା ତୋଫାନ ତରଫକୁ ଶାନ୍ତ କରିପାରେ। ବାଘ ଥାଇ କହିଲା, ଖାଲି ସେତିକି ମଣିଷର ସ୍ବର, ବୀର ଓ ଗର୍ବୀମାନଙ୍କୁ ଜନ୍ମ ଦେଇଥାଏ। ଗାଈ କହିଲା, ଏ ସବୁ ସତ ଯେ, ଜଣେ ଯେତେ ଧୀର ବୀର ଗର୍ବୀ ହୋଇଥାଉନା କାହିଁକି, ତାକୁ ଦିନେ ନା ଦିନେ ଗୋଚାରଣ କରୁଥିବା ପାଦ ପାଖକୁ ଆସିବାକୁ ହେବ ଓ କୃଷ୍ଣଙ୍କର ବଂଶୀର ସ୍ବରର ମଧୁରତାକୁ ପାନକରିବାକୁ ହେବ। ଠେକୁଆ କହିଲା, ଭଗବାନ ସୃଷ୍ଟି କରିଥିବା ଏ ସ୍ବର ଏପରି ଯେ ତାହା ପର୍ବତରେ ପ୍ରତିଧ୍ୱନିତ ହୁଏ। ମରୁଭୂମିର ବାଲିବନ୍ତକୁ ରୋମାଞ୍ଚତ୍ତ କରିପାରେ। ସ୍ବର ନିନାଦିତ କାଳର ଗହ୍ବରରେ ଅସରନ୍ତି ତାରା ଖଚିତ ଗମ୍ବୁଜ ଗର୍ଭ ଓ ସମାଧି ଗୁହାରେ ମଧ୍ୟ ପ୍ରତିଧ୍ୱନିତ ହେଉଥାଏ। ବିଲୁଆ ଥାଇ କହିଲା, ସ୍ବର ଅନ୍ତର ଭିତରେ ଓ ନୀରବତାରେ ବିରାଜିତ। ଏହି ସ୍ବର ଶୁଣି ନ ପାରିଲେ, ମନୁଷ୍ୟ ହତାଶା ଓ ଅନ୍ଧକାରରେ ରୁହେ। ହୃଦ୍‌ତନ୍ତ୍ରୀ ତା’ର ଛିନ୍ନ ହୁଏ, କିନ୍ତୁ ଭୁଲ୍‌ବଶତଃ ଥରେ ଓଁକାର ଧ୍ୱନି ବା ସ୍ବରକୁ ଶୁଣେ ସେହିଦିନ ମନୁଷ୍ୟ ତା’ର ଜ୍ଞାନର ଦିବସ ପାଳନକରେ। ଏହି ସଭାରେ ଯୋଗଦେଇଥିବା କାଉ, କୋଇଲି, ଶୁଆ ଏକ ସ୍ବରରେ କହି ଉଠିଲେ, ମଣିଷ ଭିତରେ ଏହି ଓଁକାର ଶବ୍ଦ ରୁଣୁଝୁଣୁ ହେଉଅଛି। ତା’ର ଆତ୍ମାର ମନ୍ଦିର ଭିତରେ ସ୍ବର ସୃଷ୍ଟି ହେଉଛି ହେଲେ ମଣିଷ ତା’ର ପ୍ରବୃତ୍ତିକୁ ବଦଳାଇପାରୁନାହିଁ। ସେ ଆମ ମାନଙ୍କର ସ୍ବର ଶୁଣି ହୁରୁଡ଼ାଇ ଦେଉଛି।
ମୟୂରଟିଏ କେଉଁଠି ଥିଲା ପୁଚ୍ଛ ମେଲାଇ ଆସି ପହଞ୍ଚତ୍ଗଲା। ସେ କହିଲା, ସ୍ବର ସର୍ବୋତ୍ତମ ଉପଦେଶ ଭରିଦିଏ। ସେହି ସ୍ବରକୁ ଶୁଣିବା ପାଇଁ ଋଷିମାନେ ଆକୁଳ। ସେହି ସ୍ବର ଜଳଧାରାକୁ ବୋହିନିଏ ସମୁଦ୍ର ନିକଟକୁ। କଙ୍କରିତ ଇଲାକାରେ, ଯନ୍ତ୍ରଣାର ଗଳି ଦେଇ ସ୍ବର ଉପଶମ ଓ ମୁକ୍ତିର ସନ୍ଦେଶ ଦିଏ। ବିଲେଇ ଛୁଆଟିଏ ତା’ର କଥା ରଖି କହିଲା, ମାତାଙ୍କର ସ୍ବର ମତେ ଗେଲ କରିବା ପରି ଲାଗେ, କ୍ରନ୍ଦନ ଶିଶୁକୁ ଖେଳନା ଦେବା ପରି। ମଣିଷମାନଙ୍କର ଗୁରୁ ଅଛନ୍ତି। ତାଙ୍କର ଦୟାଳୁ ସ୍ବର ଯୋଗୁ ମଣିଷମାନେ ଆମକୁ ଭଲ ପାଇ କ୍ଷୀର ଭାତ ଦିଅନ୍ତି। ଏହି ସମୟରେ ସିଂହ ଆସି ସେଠାରେ ପହଞ୍ଚତ୍ଲା। ସେ କହିଲା, ମୁଁ ସିନା ଗର୍ଜନକରେ କିନ୍ତୁ ମଣିଷମାନଙ୍କର ଗୁରୁ କହନ୍ତି, ସ୍ବର କୁଆଡ଼େ ଧୀରେ ଧୀରେ କୁହେ। କାନ ଥାଉ ବା ନ ଥାଉ ସେ ପାଖ ଦେଇ ପ୍ରସ୍ଥାନ କରୁଛି। ସ୍ବର ଶୂନ୍ୟରେ ଜାତ ହୋଇଛି। ସେହି ସ୍ବର ତୁମ ଓ ମୋ ଭିତରେ ମଧ୍ୟ ରହିଛି। ସେହି ସ୍ବର ଆମ୍ଭମାନଙ୍କୁ ଜାଗ୍ରତ କରି ରଖିଛି।
ପାଖରେ ଥିବା ଉଦ୍ଭିଦମାନେ କହିଲେ, ସେଇଥିପାଇଁ ଭଗବାନ୍‌ ସେହି ସ୍ବରକୁ ଶୁଣିବା ପାଇଁ ଓ ମୁକ୍ତି ଲାଭ କରିବା ପାଇଁ ଆମକୁ ଏକାନ୍ତବାସୀ ହେବାକୁ ଆହ୍ବାନ ଦେଇଛନ୍ତି। ଯେଉଁ ସ୍ବର ଆଦି ଅନନ୍ତ କାଳରୁ ନିନାଦିତ ସେହି ସ୍ବର ଆମକୁ ଘେନିଯାଏ ବାଟ ଦେଖାଏ। ଭ୍ରୂଣ ଅବସ୍ଥାରୁ ପାଦପଦ୍ମରେ ପହଞ୍ଚାଇଥାଏ ପ୍ରଭୁଙ୍କର କରୁଣାର ସ୍ବର ଖୁବ୍‌ କମ୍‌ ବ୍ୟକ୍ତି ଶୁଣିପାରନ୍ତି।
ଅବସରପ୍ରାପ୍ତ ପ୍ରାଧ୍ୟାପିକା, କଟକ
ମୋ : ୯୬୯୨୯୮୦୦୨୬