ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ କରି ସିଧାସଳଖ ଏମ୍‌ପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଏବଂ ପ୍ରଶାନ୍ତଙ୍କ ବିରୋଧରେ ବର୍ଷିଛନ୍ତି। ଅପରାଜିତାଙ୍କ ବିରୋଧରେ କାଳୁ ଯୁଦ୍ଧଂ ଦେହୀ ଡାକରା ଦେବା ସହ ଲୋକମତ ଅନୁଯାୟୀ ସ୍ବାଧୀନ ଭାବେ ଲଢିବେ ବୋଲି ଘୋଷଣା କରିଛନ୍ତି। ଅପରାଜିତାଙ୍କୁ କାଳୁ କଡ଼ା ସମାଲୋଚନା କରି କହିଛନ୍ତି, ‘ସେ ମିଥ୍ୟାବାଦିନୀ ଓ ଲାଞ୍ଚ ନିଅନ୍ତି। ମୁଁ ତାଙ୍କୁ ବିହାର ପଠାଇଦେବି।’ କାଳୁ ଅଭିଯୋଗ କରିଛନ୍ତି ଯେ, ଟିକେଟ ପାଇଁ ତାଙ୍କୁ ଅପରାଜିତା ୨କୋଟି ଟଙ୍କା ମାଗିଥିଲେ। ମୁଁ ଅସମର୍ଥ ପ୍ରକାଶ କରିବାରୁ ପ୍ରଶାନ୍ତଙ୍କ ଠାରୁ ଟଙ୍କା ନେଇ ଟିକେଟ ଦେଇଦେଲେ। ଅପରାଜିତାଙ୍କ ବିରୋଧରେ କାଳୁ ଅନେକ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଏହି ସମାବେଶରେ ଅଭିନେତା ଅଖିଳ ପଟ୍ଟନାୟକ, ଜୟଦେବରୁ ରାଘବ ସେଠୀ, ଅଧ୍ୟାପକ କିଶୋର ଦେବୀଦତ୍ତ, ପୃଥିରାଜ କୋଦାମସିଂ, ଲଳିତ ସ୍ବାଇଁ, କୃଷକ ନେତା ପ୍ରେମାନନ୍ଦ ସାମନ୍ତରାୟ, ଲକ୍ଷ୍ମୀଧର ଶ୍ରୀଚନ୍ଦନ, ତ୍ରିଲୋଚନ ମହାପାତ୍ର, ରୁଦ୍ରନାଥ ପାଣିଗ୍ରାହୀ, ସୂର୍ଯ୍ୟନାରାୟଣ ଦାସ, ଶୁଚିସ୍ମିତା ବଡଜେନା, ବିପିନ ପାଲଟାସିଂହ, ଆଲୋକ ରଞ୍ଜନ ଛୋଟରାୟ, ଅଭିମନ୍ୟୁ ଘଟୁଆଳ, ରାମଚନ୍ଦ୍ର ପରିଡା, କିଶୋର ବରାଳ, ପ୍ରଦ୍ୟୁମ୍ନ ଜଗଦ୍ଦେବ ପ୍ରମୁଖ ମଞ୍ଚାସୀନ ଥିବାବେଳେ ୫ ହଜାରରୁ ଊଦ୍ଧର୍‌ବ ସମର୍ଥକ ଯୋଗଦେଇଥିଲେ। କାଳୁ ସ୍ବାଧୀନ ଭାବେ ଲଢିବା ନେଇ ଘୋଷଣା କରିବା ପରେ ଖୋର୍ଦ୍ଧା ରାଜନୀତି ସରଗରମ ହେବାରେ ଲାଗିଛି। ଏଠାରେ ସୂଚନାଯୋଗ୍ୟ ଯେ, ଟିକେଟ ଘୋଷଣା ପୂର୍ବରୁ ଏକ ସଭାମଞ୍ଚରେ ପ୍ରଶାନ୍ତ ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ହେବା ନେଇ ଅପରାଜିତାଙ୍କ ଘୋଷଣାକୁ କାଳୁ ଓ ସମର୍ଥକ ତୀବ୍ର ବିରୋଧ କରିଥିଲେ। ରାଜ୍ୟ ଭାଜପା କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ସହ ହଙ୍ଗାମା କରିଥିଲେ। ଅନ୍ୟପକ୍ଷରେ ପ୍ରଶାନ୍ତଙ୍କୁ ନେଇ ଦଳରେ ଅଡ଼ୁଆ ବଢ଼ିବାରେ ଲାଗିଛି। କାଳୁଙ୍କ ସମର୍ଥକ ତାଙ୍କୁ ଗ୍ରହଣ କରିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Share