ଗଣତନ୍ତ୍ରରେ ସ୍ୱେଚ୍ଛାଚାରିତା

ଏକ ଗଣତନ୍ତ୍ର ରାଷ୍ଟ୍ରର ମାଲିକ ହେଲେ ସେ ଦେଶର ନାଗରିକ। ଏକ ଗଣତନ୍ତ୍ର ରାଷ୍ଟ୍ରରେ ଆଇନ ପ୍ରଣୟନ, ଏହାର ପ୍ରଚଳନ ଏବଂ ଅନୁପାଳନ ପ୍ରତ୍ୟକ୍ଷ ଭାବରେ ନାଗରିକମାନେ କରିପାରିବେ ନାହିଁ। ସେଥିପାଇଁ ନାଗରିକମାନେ ସେମାନଙ୍କର ପ୍ରତିନିଧିମାନଙ୍କୁ ନିର୍ବାଚିତ କରି ବିଧାନସଭା ଏବଂ ସଂସଦକୁ ପଠାଇଥାନ୍ତି। ସେମାନେ ନାଗରିକମାନଙ୍କର ଆବଶ୍ୟକତା ତଥା ମତାମତକୁ ଉପସ୍ଥାପନ କରି ନୀତି ପ୍ରଣୟନ କରନ୍ତି।
ଏଠାରେ ପ୍ରଶ୍ନ ଆସିପାରେ ବାସ୍ତବରେ କ’ଣ ଜନପ୍ରତିନିଧିମାନେ ନାଗରିକମାନଙ୍କର ମତାମତ ବା ପସନ୍ଦର ନୀତିକୁ ଉପସ୍ଥାପନ କରିପାରିବେ। ପ୍ରଖ୍ୟାତ ଅର୍ଥଶାସ୍ତ୍ରୀ କେନେଥ୍‌ ଆରୋଙ୍କ ମତରେ ଯେକୌଣସି ନିର୍ବାଚନୀ ପ୍ରକ୍ରିୟାରେ ସର୍ବଜନ ହିତ ପ୍ରତିଫଳନ ଅସମ୍ଭବ। ଭାରତରେ ଲୋକପ୍ରତିନିଧିମାନେ କ’ଣ ବାସ୍ତବରେ ସମସ୍ତ ନାଗରିକମାନଙ୍କର ମତାମତକୁ ଠିକ୍‌ ଭାବରେ ଉପସ୍ଥାପନ କରିପାରିବେ? ଆମଦେଶର ସମ୍ବିଧାନ ବ୍ୟବସ୍ଥାରେ ସଂଖ୍ୟାଗରିଷ୍ଠ ମତଦାନ ବ୍ୟବସ୍ଥାକୁ ଗ୍ରହଣ କରାଯାଇଛି। ରାଜ୍ୟ ବିଧାନସଭା କିମ୍ବା ସଂସଦରେ ନିର୍ଦ୍ଧାରିତ ହେଉଥିବା ନିଷ୍ପତ୍ତି କ’ଣ ବାସ୍ତବରେ ସମସ୍ତ ନାଗରିକମାନଙ୍କର ହିତ ପ୍ରତିଫଳନ କରେ? ଏହାର ଉତ୍ତର ନିଶ୍ଚିତ ଭାବରେ ନା।
୨୦୧୯ ସାଧାରଣ ନିର୍ବାଚନରେ ଦେଶର ୬୭.୧୧ପ୍ରତିଶତ ନାଗରିକ ମତସାବ୍ୟସ୍ତ କରିଥିଲେ। ବର୍ତ୍ତମାନ ଶାସନରେ ଥିବା ଭାଜପା ୩୭.୩୬ ପ୍ରତିଶତ ଭୋଟ ପାଇ ସରକାର ଗଢିଥିଲା।ଠିକ୍‌ ସେହିପରି ଆମ ରାଜ୍ୟରେ ମୋଟ ୭୩.୦୬ ପ୍ରତିଶତ ନାଗରିକ ମତସାବ୍ୟସ୍ତ କରିଥିଲେ ଏବଂ ବିଜୁ ଜନତା ଦଳ ୪୪.୭୧ପ୍ରତିଶତ ଭୋଟ ପାଇ ସରକାର ଗଠନ କରିଛି।ଏହାର ଅର୍ଥ ହେଲା ରାଜ୍ୟସରକାର ମାତ୍ର ୪୪.୭୧ପ୍ରତିଶତ ନାଗରିକଙ୍କର ମତାମତକୁ ପ୍ରତିଫଳିତ କରୁଥିବା ସମୟରେ କେନ୍ଦ୍ରସରକାର ମାତ୍ର ୩୭.୩୬ ପ୍ରତିଶତ ନାଗରିକଙ୍କ ମତାମତ ପ୍ରତିଫଳିତ କରୁଛନ୍ତି। ଏହା ସତ୍ତ୍ୱେ ନିର୍ବାଚିତ ସରକାର ୧୦୦ପ୍ରତିଶତ ନାଗରିକଙ୍କ ପାଇଁ ବିଧି ପ୍ରଣୟନ କରିବେ। ଏହା କିପରି ସମ୍ଭବ?
ବିଧାନସଭା କିମ୍ବା ସଂସଦରେ ସବୁଦଳର ବିଧାୟକ ଏବଂ ସାଂସଦମାନେ ଉପସ୍ଥିତ ଥାନ୍ତି।ସେମାନେ ସରକାରଙ୍କ ଦ୍ୱାରା ଉପସ୍ଥାପନ କରାଯାଉଥିବା ସମସ୍ତ ଆଇନ ଉପରେ ତର୍ଜମା କରିବେ ଏବଂ ଆବଶ୍ୟକ ସଂଶୋଧନ ପାଇଁ ନିଜର ମତାମତ ରଖିବେ। ବିଧାନସଭା କିମ୍ବା ସଂସଦରେ କୌଣସି ବିଧେୟକ ଉପସ୍ଥାପନ ହେବା ପୂର୍ବରୁ ଶାସକଦଳର ନିର୍ବାଚିତ ପ୍ରତିନିଧିମାନେ ଏ ସଂକ୍ରାନ୍ତରେ ପର୍ଯ୍ୟାପ୍ତ ଆଲୋଚନା କରିବା ଆବଶ୍ୟକ। ସରକାରୀ ଦଳର ବିଧାୟକମାନେ ଗୋଟିଏ ରାଜନୈତିକ ଦଳର ହୋଇଥିଲେ ମଧ୍ୟ ସେମାନଙ୍କର ମତାମତ କେବେ ସମାନ ହୋଇପାରିବ ନାହିଁ। ବିକାଶର ସ୍ତର ଅନୁସାରେ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀର ଆବଶ୍ୟକତା ଭିନ୍ନ ହୋଇପାରେ। ତେଣୁ ଶାସକ ଦଳର ସମସ୍ତ ବିଧାୟକ ଏବଂ ସାଂସଦ ସେମାନେ ନିଜନିଜର ମତାମତ ଉପସ୍ଥାପନ କରିବା ଆବଶ୍ୟକ। ସମସ୍ତ ନିର୍ବାଚିତ ପ୍ରତିନିଧିମାନଙ୍କର ମତାମତ ଶୁଣିସାରିବା ପରେ ଏକ ମାଧ୍ୟମ ମାର୍ଗ ବାଛି ସହମତି ପ୍ରକାଶହେବା ଉଚିତ। କିନ୍ତୁ ବାସ୍ତବରେ ହେଉଛି କ’ଣ?
ଅଧିକାଂଶ ରାଜନୈତିକ ଦଳ ହାଇକମାଣ୍ଡ (ମହାଜ୍ଞା) କିମ୍ବା ଅଳ୍ପ କିଛି କ୍ଷମତାଶାଳୀ ବ୍ୟକ୍ତିଙ୍କ ନିର୍ଦ୍ଦେଶରେ ପରିଚାଳିତ। ମନେରଖିବାକୁ ହେବ ଯେ ପ୍ରଧାନମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀ କେବଳ ଗୋଟିଏ ନିର୍ବାଚନମଣ୍ଡଳୀର ମତାମତକୁ ପ୍ରତିଫଳିତ କରିଥାନ୍ତି। ପ୍ରଧାନମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କ ଭିତରେ ପ୍ରଥମ ବୋଲି ବିବେଚନା କରାଯାଏ। ଦଳର ମୁଖ୍ୟ ହିସାବରେ ସେ ସମସ୍ତ ପ୍ରତିନିଧିମାନଙ୍କ ମତାମତ ଶୁଣିବାକୁ ବାଧ୍ୟ। ସମସ୍ତ ମତାମତ ଉପସ୍ଥାପନ ପରେ ନିର୍ବାଚିତ ପ୍ରତିନିଧିମାନଙ୍କ ମୁଖିଆ ମଧ୍ୟମ ମାର୍ଗ ବାଛିବାରେ ଏବଂ ସହମତି ଆଣିବାରେ କେବଳ ସହାୟକ ହୋଇପାରିବେ। କିନ୍ତୁ ଦଳର ମୁଖିଆ ସର୍ବଜ୍ଞ ନୁହନ୍ତି। ତେଣୁକରି ପ୍ରତ୍ୟେକଟି ନିଷ୍ପତ୍ତିି ନେବା ପୂର୍ବରୁ ସମସ୍ତ ନିର୍ବାଚିତ ପ୍ରତିନିଧିମାନଙ୍କ ପରାମର୍ଶ ନେବା ବାଧ୍ୟତାମୂଳକ।
କିନ୍ତୁ ବିଡ଼ମ୍ବନା ଯେ ବିଧାନସଭା କିମ୍ବା ସଂସଦରେ ଅଧିକାଂଶ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପରେ ବିଶେଷ ଆଲୋଚନା ହେଉ ନ ଥିବା ଦେଖାଯାଉଛି। ବିଧାନସଭା କିମ୍ବା ସଂସଦର ଅଧିବେଶନର ପୂର୍ଣ୍ଣକାଳ କେବେ ବି ସମ୍ପୂର୍ଣ୍ଣ ହେଉନାହିଁ। ନିର୍ବାଚିତ ପ୍ରତିନିଧିମାନେ ମହାଜ୍ଞାଙ୍କ ନିର୍ଦ୍ଦେଶନାମା କେବଳ ପାଳନ କରୁଛନ୍ତି। ଲୋକପ୍ରତିନିଧିମାନେ ନାଗରିକମାନଙ୍କ ପ୍ରତି ଉତ୍ତରଦାୟୀ। ମୁଖ୍ୟସଚିବଙ୍କଠାରୁ ଆରମ୍ଭକରି ସର୍ବନିମ୍ନ ସ୍ତରରେ ଥିବା ସମସ୍ତ ସରକାରୀ କର୍ମଚାରୀ ନିର୍ବାଚିତ ପ୍ରତିନିଧିମାନଙ୍କ ନିର୍ଦ୍ଦେଶ ପାଳନ କରିବାକୁ ବାଧ୍ୟ। ସରକାରୀ ଚାକିରିଆମାନେ ଆଇନ ପ୍ରଣୟନକାରୀଙ୍କ ନିର୍ଦ୍ଦେଶ ଅନୁପାଳନ କରିବାକୁ ବାଧ୍ୟ। ଲୋକପ୍ରତିନିଧିମାନଙ୍କୁ ସେମାନେ ଅବଜ୍ଞା କରିପାରିବେ ନାହିଁ। ଏହା ଗଣତନ୍ତ୍ରର ଅପମାନ।
ମହାଜ୍ଞା କିମ୍ବା ତାଙ୍କ ବିଶ୍ୱସ୍ତଙ୍କ ନିର୍ଦ୍ଦେଶରେ ଚାଲୁଥିବା ଶାସନ ପ୍ରଣାଳୀ ଦ୍ରୁତ ହୋଇପାରେ କିନ୍ତୁ ତାହା ସର୍ବମଙ୍ଗଳକାରୀ ହୋଇ ନ ପାରେ। ଲୋକପ୍ରତିନିଧିମାନେ ମହାଜ୍ଞା କିମ୍ବା ତାଙ୍କ ନିକଟବର୍ତ୍ତୀ କ୍ଷମତାଶାଳୀ ବ୍ୟକ୍ତିଙ୍କ ଡରରେ ନିଜ ମତବ୍ୟକ୍ତ ନ କରିବା ଅର୍ଥ ହେଲା ନିଜ ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ମତାମତକୁ ଉପସ୍ଥାପନ କରିବାରେ ବିଫଳ ହେବା। କେବଳ ଭୋଟ ମାଧ୍ୟମରେ ନିର୍ବାଚିତ ହୋଇଗଲେ ଗଣତନ୍ତ୍ର ସମ୍ପୂର୍ଣ୍ଣ ହୋଇଯାଏ ନାହିଁ। ଗଣତନ୍ତ୍ର ପ୍ରକ୍ରିୟା ରାଜନୈତିକ ଦଳ, ବିଧାନସଭା ଏବଂ ସଂସଦରେ ପ୍ରତିଫଳିତ ହେବା ଅତ୍ୟନ୍ତ ଜରୁରୀ ।
ସ୍ବେଚ୍ଛାଚାରୀ ଦଳପତି ଗଣତନ୍ତ୍ର ପାଇଁ ବିପଦ। ଅନେକ ଜାତୀୟ ଏବଂ ଆଞ୍ଚଳିକ ରାଜନୈତିକ ଦଳ ମହାଜ୍ଞା ପରମ୍ପରାରେ ପରିଚାଳିତ। ଅନେକ ରାଜନୈତିକ ଦଳ ପରିବାର ନିୟନ୍ତ୍ରଣାଧୀନ। ତେଣୁ ରାଜନୈତକ ଦଳରୁ ନିର୍ବାଚନ ଲଢ଼ିବାପାଇଁ ଖଣ୍ଡିଏ ଟିକେଟ ପାଇବାକୁ ଲୋକ ପ୍ରତିନିଧିମାନେ ମହାଜ୍ଞାଙ୍କ କୃପାଭିକ୍ଷା କରିବା ସହ ଅନେକ ତୋଷାମଦି କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ଆମ୍ବେଡକରଙ୍କ ମତରେ ଗଣତନ୍ତ୍ର ଶାସନ ପଦ୍ଧତି ସାମାଜିକ ଗଣତନ୍ତ୍ର ଉପରେ ଆଧାରିତ। ଏକ ଗଣତାନ୍ତ୍ରିକ ସମାଜ ବିନା ଗଣତନ୍ତ୍ରର ମୂଳ ଢାଞ୍ଚା ମୂଲ୍ୟହୀନ। ଗାନ୍ଧିଜୀଙ୍କ ମତରେ ଗଣତନ୍ତ୍ରର ସୁରକ୍ଷା ପାଇଁ ନାଗରିକମାନଙ୍କର ଗଭୀର ଗଣତାନ୍ତ୍ରିକ ମୂଲ୍ୟବୋଧ, ଆତ୍ମସମ୍ମାନ ଏବଂ ଏକତା ରହିବା ଆବଶ୍ୟକ। ତତ୍‌ସଙ୍ଗେସଙ୍ଗେ ଜନସାଧାରଣ କେବଳ ସଚ୍ଚୋଟ ଏବଂ ଉତ୍ତମ ଲୋକପ୍ରତିନିଧିମାନଙ୍କୁ ଚୟନ କରିବା ଆବଶ୍ୟକ।
ଅନେକ ରାଜନୈତିକ ଦଳ ଭିତରେ ଗଣତାନ୍ତ୍ରିକ ମୂଲ୍ୟବୋଧ ନାହିଁ। ନିର୍ବାଚିତ ପ୍ରତିନିଧିମାନେ ଟିକେଟ ହରାଇବା ଡରରେ ଦଳ ମୁଖିଆଙ୍କୁ ରୋଷକଲା ଭଳି କୌଣସି ମତାମତ ଦିଅନ୍ତି ନାହିଁ। ଦଳମୁଖିଆ ବି ସ୍ବାଧୀନ ମତ ରଖୁଥିବା ବ୍ୟକ୍ତିଙ୍କୁ ପରବର୍ତ୍ତୀ ନିର୍ବାଚନରେ ଟିକେଟ ଦିଅନ୍ତି ନାହିଁ। ଏପରି କ୍ରମରେ ସ୍ବେଚ୍ଛାଚାରିତା ସୁଦୃଢ଼ ହୁଏ। ତୋଷାମଦିଆ ନିର୍ବାଚିତ ପ୍ରତିନିଧିମାନେ କ’ଣ ଜନମାନଙ୍କ ହିତରକ୍ଷା କରିପାରିବେ? ଗଣତନ୍ତ୍ରରେ ସ୍ବେଚ୍ଛାଚାରିତାର ପରିଣାମ ହେଲା ଅଭିବୃଦ୍ଧିର ସୁଫଳ ହାତଗଣତି ନାଗରିକ ଏବଂ ସୀମିତ ଅଞ୍ଚଳକୁ ମିଳେ। ସମାଜରେ ଅର୍ଥନୈତିକ ବିଭେଦ ଓ ଆଞ୍ଚଳିକ ବୈଶମ୍ୟ ବୃଦ୍ଧିପାଏ।
ସ୍ବେଚ୍ଛାଚାରୀ ଦଳପତି ଯେ କିଛି କରନ୍ତି ନି ତାହା ନୁହେଁ। ନିଜର ବା ଦଳର ସ୍ବାର୍ଥଲାଭ ପାଇଁ ଅନେକ ଯୋଜନା ତିଆରି କରନ୍ତି ଯାହା ନାଗରିକଙ୍କର ବର୍ତ୍ତମାନ ପାଇଁ ହିତକର ଜଣାପଡ଼େ କିନ୍ତୁ ଭବିଷ୍ୟତ ପାଇଁ ଅହିତକର ହୋଇପାରେ। ପ୍ରତିଶ୍ରୁତିଭରା ପ୍ରତ୍ୟେକଟି ନୂଆ ଯୋଜନାରେ ପୁଣି କିଛି ପାଇବାର ଆଶା ସଞ୍ଚାରହୁଏ କିଛି ଟଙ୍କା ଆଉ ମଦମାଂସରେ ବିଚରା ନାଗରିକ ଭୋଟ ବିକିଦେଲା ପରେ ନିର୍ବାଚିତ ପ୍ରତିନିଧିଙ୍କୁ ପ୍ରଶ୍ନ ପଚାରିବାର ନୈତିକତା ହରାଏ। ନାଗରିକଠାରୁ ଆରମ୍ଭକରି ନିର୍ବାଚିତ ପ୍ରତିନିଧି ଏବଂ ଦଳପତି ସମସ୍ତେ ବ୍ୟକ୍ତିଗତ ସ୍ବାର୍ଥ ପାଇଁ ବ୍ୟସ୍ତ। ସାମୂହିକ ସ୍ବାର୍ଥକଥା ଭାବିବାକୁ କାହାର ସମୟ ବା ବିବେକ ଅଛି?

  • ଅମରେନ୍ଦ୍ର ଦାସ
    ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ, ଭୁବନେଶ୍ୱର

Enter your email to get our daily news in your inbox.

All Right Reserved By Dharitri.Com

ଖବରକାଗଜ ଓ ଆମେ

ଭାରତ ସ୍ବାଧୀନ ହେବାର ୭୭ ବର୍ଷ ପରେ ଏବେ ଖବରକାଗଜ ଉପରେ ସମୀକ୍ଷା କରିବାର ଆବଶ୍ୟକତା ଅନୁଭୂତ ହେଉଛି। ସ୍ବାଧୀନତା ଲାଭ ପୂର୍ବରୁ ଭାରତର ସ୍ବାଧୀନତା...

କଳାପଟି ହଟିଗଲା ପରେ

ଭାରତୀୟ ନ୍ୟାୟ ବ୍ୟବସ୍ଥା ଏବେ ଆଉ ଅନ୍ଧ ନୁହେଁ କି କୌଣସି ହିଂସାର ପ୍ରତୀକ ତା’ପାଇଁ ଶୋଭନୀୟ ନୁହେଁ ବୋଲି ବିବେଚନାକରି ନିକଟରେ ଉଚ୍ଚତମ ନ୍ୟାୟାଳୟ...

ବୈଶ୍ୱିକ ବିଜୟ

ଗ୍ଲୋବାଲ ବାୟୋଫୁଏଲ ଆଲିଆନ୍ସ (ଜିବିଏ) ଓ ଭାରତ ମଧ୍ୟରେ ହୋଷ୍ଟ କଣ୍ଟ୍ରି ଏଗ୍ରିମେଣ୍ଟ ହୋଇଛି। ପ୍ରାୟୋଜକ ଦେଶ ଭାବେ ଭାରତ ଚୁକ୍ତିଭୁକ୍ତ ହେବା ବୈଦେଶିକ ବ୍ୟାପାର...

ଓଡ଼ିଶାରେ ଦାଦନ ସମସ୍ୟା

ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗଗୁଡିକର ସମ୍ମିଳିତ ପ୍ରୟାସରେ ରାଜ୍ୟର ଦାଦନ ଶ୍ରମିକମାନଙ୍କୁ କିପରି ରାଜ୍ୟରେ ଜୀବିକା ଅର୍ଜନ କରିବା ପାଇଁ ସୁଯୋଗ ସୃଷ୍ଟି କରାଯିବ ସେଥିପାଇଁ...

ବାଲିଯାତ୍ରା

ହଜାରେ ବର୍ଷର ସହର କଟକରେ ବାଲିଯାତ୍ରା ରୂପକ ଯାତ୍ରାର ବୟସ ବି ପାଞ୍ଚଶହ ବର୍ଷରୁ ଅଧିକ ବୋଲି ଇତିହାସ କହେ। ଗୋଟିଏପଟେ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା,...

ଚାଇନା ଡରାଉଛି

ଚାଇନା ୧ ଦଶନ୍ଧରୁ ଅଧିକ ସମୟ ଧରି ଦକ୍ଷିଣ ଚାଇନା ସାଗରରେ ନିଜର ଶକ୍ତି ଏବଂ ପ୍ରଭାବ ବଢ଼ାଇବା ପାଇଁ ଆକ୍ରମଣାତ୍ମକ ରଣନୀତି ପ୍ରୟୋଗ କରିଆସୁଛି।...

ଗଣମାଧ୍ୟମ ଓ ଅସହାୟ ମଣିଷ

ରେ ବିଖ୍ୟାତ ଗ୍ରୀକ୍‌ ଦାର୍ଶନିକ ସକ୍ରେଟିସଙ୍କୁ ତାଙ୍କର ଜଣେ ବନ୍ଧୁ ଦେଖାକରି କହିଲେ, ବନ୍ଧୁ ସକ୍ରେଟିସ ସହରରେ ଯେଉଁ ଗୁଜବ ବ୍ୟାପିଛି ତାହା ତୁମେ ଜାଣିଲଣି।...

ଜାତୀୟ ସମବାୟ ନୀତିରେ ଓଡ଼ିଶା

ଭାରତର ଅର୍ଥନୈତିକ ବ୍ୟବସ୍ଥାରେ ସମବାୟ ଅନୁଷ୍ଠାନଗୁଡ଼ିକର ପ୍ରମୁଖ ଭୂମିକା ରହିଛି। ସ୍ବାଧୀନତା ପରେ ପଞ୍ଚବାର୍ଷିକ ଯୋଜନା ମାଧ୍ୟମରେ ଯେଉଁ ଅର୍ଥନୈତିକ ବିକାଶଧାରା ଉନ୍ମୋଚିତ ହୋଇଥିଲା, ସେଥିରେ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri