ରାସ୍ତା ଉନ୍ନତୀକରଣ ନ ହେଲେ ଭୋଟ ବର୍ଜନ

ବରଗଡ଼,୨୨।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ବ୍ଲକ ଧାଙ୍ଗେର ପଞ୍ଚାୟତ ଅନ୍ତର୍ଗତ ପଣ୍ଡରୀପଥର ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ ହୋଇପଡ଼ିଛି। ଦୀର୍ଘବର୍ଷ ଧରି ରାସ୍ତା ଶୋଚନୀୟ ହୋଇପଡ଼ିଥିବା ସତ୍ତ୍ବେ ରାସ୍ତାର ଉନ୍ନତhକରଣ ପାଇଁ କିଛି ପଦକ୍ଷେପ ନିଆଯାଉନାହିଁ। ଏଭଳି ଅଭିଯୋଗ କରି ସ୍ଥାନୀୟ ମହିଳାମାନେ ସୋମବାର ଜିଲାପାଳଙ୍କୁ ଫେରାଦ ହୋଇଥିଲେ। ରାସ୍ତା ଉନ୍ନତୀକରଣ ଦିଗରେ ବିହିତ ପଦକ୍ଷେପ ନେବା ପାଇଁ ଜିଲାପାଳ ମୋନିଷା ବାନାର୍ଜୀଙ୍କୁ ସେମାନେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ରାସ୍ତା ଉନ୍ନତୀକରଣ କରା ନ ଗଲେ ଗ୍ରାମବାସୀ ୨୦୨୪ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ।
ପଣ୍ଡରୀପଥର ଗ୍ରାମ ପାଖରେ ୨ ପ୍ରାଥମିକ ସ୍କୁଲ, ୨ ଅଙ୍ଗନୱାଡ଼ି କେନ୍ଦ୍ର, ଗୋଟିଏ କୁଷ୍ଠାଶ୍ରମ, ପଞ୍ଚାୟତ କଲେଜ, ରୁହୁଣିଆ ହାଇସ୍କୁଲ ଆଦି ରହିଛି। ଫଳରେ ଉକ୍ତ ରାସ୍ତା ଦେଇ ସବୁଦିନ ବହୁଲୋକ, ଛାତ୍ରୀଛାତ୍ର ଯିବାଆସିବା କରିଥାନ୍ତି। କିନ୍ତୁ ରାସ୍ତାର ଦୁରବସ୍ଥା ଏଭଳି ହୋଇଛି ରାସ୍ତାରେ ଆମ୍ବୁଲାନ୍ସ କିମ୍ବା ୪ଚକିଆ ଗାଡ଼ି ଯିବା ତ ଦୂରର କଥା, ସାଇକେଲ ଆରୋହୀ ଯିବା କଷ୍ଟସାଧ୍ୟ ହୋଇପଡ଼ିଛି। ଏପରିକି ସେହି ରାସ୍ତାରେ ଯାତାୟାତ ବେଳେ ଲୋକେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଗତ କିଛିଦିନ ତଳେ ସାଇକେଲରେ ଯାଉଥିବାବେଳେ ଜଣେ ପଡ଼ିଯିବାରୁ ତାଙ୍କ ଅଣ୍ଟା ଭାଙ୍ଗି ଯାଇଥିବା ପଡ଼ାବାସୀ କହିଛନ୍ତି। ଏଭଳିସ୍ଥଳେ ଗ୍ରାମବାସୀ ଶ୍ରମଦାନ କରି ଗତ ୨୦ତାରିଖରେ ଉକ୍ତ ରାସ୍ତା ମରାମତି କରିଛନ୍ତି। କିନ୍ତୁ ତାହା ସ୍ଥାୟୀ ମରାମତି ହୋଇ ନ ଥିବା ଯୋଗୁ ରାସ୍ତାର ଉନ୍ନତୀକରଣ ଦିଗରେ ବିହିତ ପଦକ୍ଷେପ ନେବା ପାଇଁ ମେରିୟମ ବାର୍ଲାଙ୍କ ନେତୃତ୍ୱରେ ମହିଳାମାନେ ଜିଲାପାଳଙ୍କୁ ନିବେଦନ କରିଛନ୍ତି ।

Share